ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୭।୫: ପୁରୀ ସହରକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସମୟରେ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ଅଧିକାଂଶ ସମୟ ଯଥା ପ୍ରତି ଶନିବାର ୫-ଟି ସଚିବ ଭି.କେ.ପାଣ୍ଡିଆନ ପୁରୀ ଆସି କାର୍ଯ୍ୟର ସମୀକ୍ଷା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ସକାଳେ ୫-ଟି ସଚିବ ପାଣ୍ଡିଆନ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣ୍ଡିଆନ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ପରିକ୍ରମା ମାର୍ଗ କାର୍ଯ୍ୟର ସମୀକ୍ଷା କରିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାଗେର୍ଟ ଅନୁଯାୟୀ କାର୍ଯ୍ୟ ଠିକ୍‌ ଭାବରେ ଜାରି ରହିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ରଥଯାତ୍ରା ପୂର୍ବରୁ ଯେପରି କାର୍ଯ୍ୟ ସରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେହିଭଳି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବେ। ତେଣୁ ଭକ୍ତମାନଙ୍କର ଯେପଥି ଅସୁବିଧା ନ ହୁଏ ସେଥିପାଇଁ ପରାମର୍ଶ ଦେଇଥିଲେ। ରାସ୍ତାଗୁଡିକ ଯେପରି ଠିକ୍‌ ଭାବେ ନିର୍ମାଣ କରାଯିବ ଓ ରାସ୍ତାର କୌଣସି ସ୍ଥାନରେ ଖାଲ ନ ରହିବ ସେଥିପ୍ରତି ଧ୍ୟାନ ଦେବକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୁରୀରେ ଚାଲିଥିବା ଶ୍ରୀସେତୁ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟର ନକ୍ସା ବିଭାଗୀୟ ଅଧିକାରୀମାନେ ପାଣ୍ଡିଆନଙ୍କୁ ଦେଖାଇଥିଲେ। ଏ ସମସ୍ତ କାର୍ଯ୍ୟକୁ ୫-ଟି ସଚିବ ପାଣ୍ଡିଆନ ପରିଦର୍ଶନ କରି ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ସମୟରେ ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।