ମିଶନ ମୋଡ୍‌ରେ ପିଲାଙ୍କୁ ଟିକାକରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧: ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ପିଲାମାନଙ୍କୁ ମିଶନ ମୋଡ୍‌ରେ ଟିକାଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କ୍ୟାବିନେଟ ସଚିବ, ସ୍ବରାଷ୍ଟ୍ର ସଚିବ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ, ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସ୍ତରରେ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସୁନିଶ୍ଚିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଭୂତାଣୁ ବାରମ୍ବାର ରୂପ ବଦଳାଉଥିବାରୁ ପରୀକ୍ଷା, ଟିକା, ଜିନୋମ ସିକ୍ୱେନ୍ସିଂ ସମେତ ଚିକିତ୍ସା ଉପରେ ଲଗାତାର ବୈଜ୍ଞାନିକ ଗବେଷଣା ଆବଶ୍ୟକ। କୋଭିଡ୍‌ ଚିକିତ୍ସା ବେଳେ ଅଣକୋଭିଡ୍‌ ରୋଗୀଙ୍କ ସେବା ଯେପରି ଜାରି ରହେ ତାହା ସୁନିଶ୍ଚିତ କରିବା ଏବଂ ଟେଲିମେଡିସିନ୍‌ର ସହାୟତା ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମହାମାରୀ ବିରୋଧରେ ଲଢ଼େଇ ପାଇଁ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡ୍‌ ଆଦବକାଇଦାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ ବୋଲି ମୋଦି କହିଛନ୍ତି।

Share