ମୃତ ବ୍ୟକ୍ତିଙ୍କ ପ୍ରତି ଅପମାନ

ଡ. ସନ୍ତୋଷ କୁମାର ମହାପାତ୍ର

ଗତ ଅକ୍ଟୋବର ୨୧ରେ ଭାରତ ୧୦୦ କୋଟି ଡୋଜ୍‌ ଟିକାକରଣ ସମ୍ପୂର୍ଣ୍ଣ କରିଛି। କିନ୍ତୁ ଏହି ସଫଳତାର ଶ୍ରେୟ ନେବା ପାଇଁ ୨୨ ତାରିଖରେ ସବୁ ଜାତୀୟ ଖବରକାଗଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପ୍ରସଙ୍ଗରେ ଲେଖା ବାହାରିଛି। ପୁନଶ୍ଚ ଦିନ ୧୦ଟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଏହି ସଫଳତା ହାସଲ ପରେ ସମୁଦାୟ ବିଶ୍ୱ ସମ୍ପ୍ରତି ଭାରତର ସାମର୍ଥ୍ୟକୁ ହୃଦ୍‌ବୋଧ କରିଛି। ଭାରତର ସାମର୍ଥ୍ୟକୁ ନେଇ ଅନେକ ସମାଲୋଚକ ସନ୍ଦେହ ବ୍ୟକ୍ତ କରିଥିବାବେଳେ, ମାତ୍ର ୯ ମାସ ମଧ୍ୟରେ ୧୦୦ କୋଟି ପାନ ଟିକାକରଣ କରାଯାଇପାରିଛି। ଦେଶର ୧୩୦ କୋଟି ଜନସାଧାରଣଙ୍କ ଉଦ୍ୟମ ଯୋଗୁ ଏହି ସଫଳତା ମିଳିପାରିଛି। ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଥିଲେ ଯେ, ଏହା ନୂଆ ଭାରତର ଚିତ୍ର।
୧୦୦ କୋଟି ଡୋଜ୍‌ ଟିକାକରଣ ଯେତିକି ପ୍ରଶଂସନୀୟ,ଏଥିପାଇଁ ରାଜନୈତିକ ଫାଇଦା ବା କ୍ରେଡିଟ୍‌ ନେବା ପାଇଁ ପ୍ରୟାସ କରିବା ତା’ଠାରୁ ଅଧିକ ଦୁଃଖଦାୟକ। ଦେଶର ବିକାଶ କରିବା, ଦେଶବାସୀଙ୍କ ଭଲମନ୍ଦ ବୁଝିବା ଏବଂ ସେହି ଅନୁସାରେ ନୀତି ନିର୍ଦ୍ଧାରଣ କରିବା ବା ବିଭିନ୍ନ ପଦକ୍ଷେପ ନେବା ପାଇଁ ଏକ ସରକାରକୁ ଜନତା ନର୍ବାଚିତ କରିଥା’ନ୍ତି । ସଫଳତାର କୌଣସି ଶ୍ରେୟ ନ ନେଇ ବିଫଳତା ପାଇଁ ନିଜକୁ ଦାୟୀ କରିବା ଏକ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ। ଦୁଃଖର ବିଷୟ, କିଛି ଭଲ ହେଲେ ତା’ର ଶ୍ରେୟ ନେବା ପାଇଁ ସରକାର ଅତ୍ୟନ୍ତ ବ୍ୟଗ୍ର ହୋଇ ପ୍ରଚାରରେ ଲିପ୍ତ ରହନ୍ତି। କିନ୍ତୁ କିଛି ବିଫଳତା ପାଇଁ ପୂର୍ବ ସରକାର, ଭଗବାନ୍‌ ବା ପରିସ୍ଥିତିକୁ ଦାୟୀ କରନ୍ତି। ଟିକାକରଣକୁ ନେଇ ପ୍ରଚାର କଲାବେଳେ ସରକାର କେବେ ଚିନ୍ତା କରିଛନ୍ତି ଯେ କୋଭିଡ୍‌-୧୯ ଦ୍ୱାରା ଯେଉଁ ୩.୪ କୋଟିରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇ ଭଲ ହୋଇଛନ୍ତି ବା ୪.୫୩ ଲକ୍ଷରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରିଛନ୍ତି (ବାସ୍ତବରେ ବହୁ ଗୁଣ ଅଧିକ), ସେମାନଙ୍କ ପରିବାରର ଅବସ୍ଥା କିପରି ଅଛି। ବିଶେଷକରି ଯେଉଁ ପରିବାରର ରୋଜଗାର କରୁଥିବା ଲୋକଟି ପ୍ରାଣ ହରାଇଛି, ସେହି ପରିବାରର ଆର୍ଥିକ ଅବସ୍ଥା କିପରି ଅଛି, ସେମାନେ କିପରି ଚଳୁଛନ୍ତି। ଯେଉଁ କୋଟି କୋଟି ଲୋକ ଜୀବିକା ହରାଇଛନ୍ତି, ସେମାନଙ୍କ ପରିବାର କିପରି ଦୟନୀୟ ଜୀବନଯାପନ କରୁଛନ୍ତି। ବାସ୍ତବରେ ଆଜି ଅନେକ ତଳିତଳାନ୍ତ ହୋଇ ଯାଇଛନ୍ତି। ଅନେକ ଜୀବନ ଓ ଜୀବିକା ହରେଇଲେଣି, ଯାହାର ଠିକ୍‌ ତଥ୍ୟ କାହା ପାଖରେ ନାହିଁ। ଏହି ସମୟରେ ପ୍ରଚାରରେ ଲିପ୍ତ ରହିବା ମାନେ ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଘୋର ଅପମାନ।
ଏହି ମହାମାରୀ ଏପରି ଭୟାନକ ରୂପ ନେଇଥିଲା ଯେ, ଇଚ୍ଛାଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କୁ ଦେଖିବାକୁ କେହି ଏପରି କି ନିଜ ଲୋକ ଯାଇ ପାରୁ ନ ଥିଲେ। ଏବେବି ଯାଇ ପାରୁନାହାନ୍ତି। ନିଜ ଆତ୍ମୀୟ ସ୍ବଜନଙ୍କୁ ହରାଇଥିବା ଲୋକର ଯନ୍ତ୍ରଣା ତାହା ଏଠାରେ ପ୍ରକାଶ କରିବା ସମ୍ଭବ ନୁହେଁ। ସବୁଠାରୁ ଯନ୍ତ୍ରଣାଦାୟକ ହେଉଛି, ଶବଦାହ ପାଇଁ ଶବଦାହ ସ୍ଥଳରେ ଧାଡ଼ିବାନ୍ଧିବା। ଏହି ଦୁର୍ଦ୍ଦିନରେ ଶାସକ, ପ୍ରଶାସକ ଜୀବନ ଓ ଜୀବିକା ବଞ୍ଚେଇବା ପାଇଁ ଆପ୍ରାଣ ଉଦ୍ୟମ କରିବା ପରିବର୍ତ୍ତେ ସରକାରଙ୍କ ବିଫଳତା କେହି ନ ଜଣାନ୍ତୁ ବା ସରକାରଙ୍କ ଛବି, ଭାବମୂର୍ତ୍ତି ନିର୍ମଳ ରଖିବା ପାଇଁ ଚେଷ୍ଟା କରିଥିଲେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଣୁ ବର୍ତ୍ତମାନ ସେହି ଖରାପ ଛବିରେ ଉନ୍ନତି ଆଣିବା ପାଇଁ ପ୍ରଚାର କରାଯାଉଛି।
କୋଭିଡ୍‌ ଟିକାକରଣ ଅଭିଯାନ ‘ଉତ୍କଣ୍ଠାରୁ ଆଶ୍ୱାସନା ପର୍ଯ୍ୟନ୍ତ ଯାତ୍ରା’ ପ୍ରଧାନମନ୍ତ୍ରୀ କହିଛନ୍ତି। କିନ୍ତୁ କି ପ୍ରକାର ଆଶ୍ୱାସନା? ଏତେ ପ୍ରଚାର ପୂର୍ବରୁ ସରକାର ଟିକେ ଭାବିବା ଉଚିତ ଯେ, ସେହି ମୃତ ବ୍ୟକ୍ତି ଆଉ ଫେରିଆସିବେ କି? ଏପରିକି ଯେଉଁମାନେ ଦୁଇ ଡୋଜ୍‌ ଟିକା ନେଇଛନ୍ତି, ସେମାନେ କରୋନା ମହାମାରୀ ଦ୍ୱାରା ଆଉ ସଂକ୍ରମିତ ହେବେନି କି, ମରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇପାରିବେ କି? ସଂକ୍ରମଣ ଯୋଗୁ ଅନେକ ଲୋକମାନେ ନିଜ ପରିବାରର ଅସୁସ୍ଥ ଓ ସଂକ୍ରମିତ ପ୍ରିୟଜନଙ୍କ ଚିକିତ୍ସା ପାଇଁ ଯେଉଁ ଭୟଙ୍କର, ଯନ୍ତ୍ରଣାଦାୟକ ପରିସ୍ଥିତି ଦେଇ ଯାଇଛନ୍ତି ବା ଏବେ ଯିବାକୁ ପଡୁଛି ବା ସଂଘର୍ଷ କରିବାକୁ ପଡୁଛି, ତାହାକୁ ଶାସକ ଶ୍ରେଣୀ ହୃଦୟଙ୍ଗମ କରିବାରେ ବିଫଳ ହୋଇଛି। ଏପରିକି ଜାଣିବା ପାଇଁ ଟିକେ ମାନସିକତା ମଧ୍ୟ ନାହିଁ। କେଉଁଠି ଲୋକ ଦୌଡ଼ିଦୌଡ଼ି ବେଡ୍‌ଟିଏ ପାଉ ନ ଥିଲା ତ, ଆଉ କେଉଁଠି ବେଡ୍‌ ମିଳିଲାବେଳକୁ ଅମ୍ଳଜାନ ନ ଥିଲା। କେଉଁଠି ଅମ୍ଳଜାନ ଅଭାବରୁ ରୋଗୀ ମରିଯାଇଥିଲା ତ ଆଉ କେଉଁଠି ଆମ୍ବୁଲାନ୍ସ ଏବଂ କାରରେ ଶଯ୍ୟା କିମ୍ବା ଅମ୍ଳଜାନକୁ ଅପେକ୍ଷା କରି ଲୋକଙ୍କର ମୃତ୍ୟୁ ଘଟିଥିଲା। ଲୋକ କର୍ପୋରେଟ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ମଧ୍ୟ ରୋଗୀଙ୍କ ଜୀବନ ବଞ୍ଚାଇ ପାରିନାହାନ୍ତି। ଯେଉଁମାନେ ପରିବାରଠାରୁ ଦୂରରେ ଥିଲେ, ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ କେହି ନ ଥିଲେ।
ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ୧୦୦ କୋଟି କେବଳ ଏକ ସଂଖ୍ୟା ନୁହେଁ, ଏହା ଆମର ପାରିବାପଣିଆକୁ ପ୍ରତିଫଳିତ କରୁଛି ଏବଂ ଏକ ନୂତନ ଅଧ୍ୟାୟର ଆରମ୍ଭର ପ୍ରତୀକ । ଏପରି ପ୍ରଚାର ଦ୍ୱାରା ଜଣେ ଭାବିବ ଯେ, କେବଳ ଭାରତରେ ଟିକା ଦିଆଯାଇଛି ଏବଂ କରୋନାରେ ଆଉ କେହି ମରିବାର ସମ୍ଭାବନା ନାହିଁ। ଏପରିକି ଦୁଇଟି ଡୋଜ୍‌ ନେଇ ମଧ୍ୟ ଲୋକ ମରିଛନ୍ତି। ଏବେବି ଲୋକ ଆକ୍ରାନ୍ତ ହେଉଛନ୍ତି। ବିପଦ ଟଳିନାହିଁ। ଗୋଟିଏ ଦେଶ ଟିକାକରଣ ପ୍ରକ୍ରିୟାକୁ ଅନ୍ୟ ଦେଶ ସହିତ ତୁଳନା କରିବାକୁ ହେଲେ କେତେ ପ୍ରତିଶତ ଟିକା ନେଇଛନ୍ତି, ତାହା ବିଚାର କରାଯାଏ। ସଂଖ୍ୟାଦୃଷ୍ଟିରୁ ବିଚାର କରାଯାଏ ନାହିଁ। କାରଣ ଗୋଟିଏ ଦେଶ ଚାହିଁଲେ ବି ତା’ର ଜନସଂଖ୍ୟାଠାରୁ ଅଧିକ ଲୋକଙ୍କୁ ଟିକା ଦେଇପାରିବ ନାହିଁ।
ବିଶ୍ବର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତର ଜନସଂଖ୍ୟା ୧୩୯ କୋଟିକୁ ଆବଶ୍ୟକ ୨୭୮ କୋଟି ଡୋଜ୍‌ ଟିକାରୁ ୧୦୦ କୋଟି ଡୋଜ୍‌ ପୂରଣ କରାଯାଇଛିି। କିନ୍ତୁ ଚାଇନା ୨୨୪ କୋଟି ଡୋଜ୍‌ ଟିକା ସେହି ସମୟରେ ଦେଇଛି। ଚାଇନା ଗତ ଜୁନ୍‌ ମାସରୁ ୧୦୦ କୋଟି ଡୋଜ୍‌ ପୂରଣ କରିଥିଲା। ଟିକା ନେଇ ନ ଥିବା ବୟସ୍କମାନଙ୍କୁ ଅତିକମ୍‌ରେ ପ୍ରଥମ ଡୋଜ୍‌ ଦେବା ପାଇଁ ଆଉ ୨୩.୮୩ କୋଟି ଡୋଜ୍‌ ଆବଶ୍ୟକ ହେବ। ଯଦି ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଏ, ତେବେ ପ୍ରଥମ ଡୋଜ୍‌ ଦେବା ପାଇଁ ଆହୁରି ୧୨ କୋଟି ଡୋଜ୍‌ ଆବଶ୍ୟକ। ଦୁର୍ଭାଗ୍ୟବଶତଃ ଆମର ଟିକାକରଣ ହାର ଅନେକ ଦେଶ ତୁଳନାରେ ଏପରି କି ବିଶ୍ୱ ତୁଳନାରେ କମ୍‌ ଏବଂ ମୂଲ୍ୟ ମଧ୍ୟ ଅଧିକା। ଅକ୍ସଫୋର୍ଡ ୟୁନିଭର୍ସିଟିର ତଥ୍ୟ ଅନୁସାରେ ୨୧ ଅକ୍ଟୋବର ସୁଦ୍ଧା ବିଶ୍ବର ୪୯.୬% ଜନତା ବା ୩୮୦ କୋଟି ଜନତା ଗୋଟିଏ ଡୋଜ୍‌ ଟିକା ନେଇଥିଲାବେଳେ ୩୮% ଦୁଇ ଡୋଜ୍‌ ଟିକା ନେଇଛନ୍ତି। ଭାରତ ୫୧% ଜନସଂଖ୍ୟାକୁ ଗୋଟିଏ ଡୋଜ୍‌ ଟିକା ଦେଇଥିଲାବେଳେ ମାତ୍ର ୨୧%ଙ୍କୁ ଦୁଇ ଡୋଜ୍‌ ଟିକା ଦେଇଛି। ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ସମୟର ବ୍ୟବଧାନ ସର୍ବାଧିକ। କିଛି ଦେଶରେ ଦ୍ୱିତୀୟ ଡୋଜ୍‌ରେ ବୁଷ୍ଟର ଡୋଜ୍‌ ଦିଆଗଲାବେଳେ ଭାରତରେ ଏହା ଆଦୌ ଦିଆଯାଇ ନାହିଁ। ପ୍ରାୟ ୧୮ଟି ଦେଶ ସେମାନଙ୍କ ଜନସଂଖ୍ୟାର ୭୦% ଟିକା ଦେଇଛନ୍ତି ଏବଂ ୮୦ଟି ଦେଶ ବିଶ୍ୱର ହାରାହାରିଠାରୁ ଅଧିକ ପ୍ରଦର୍ଶନ କରୁଛନ୍ତି। ୭୦ଟି ଦେଶ ତାଙ୍କର ଜନସଂଖ୍ୟାର ୩୬%ଙ୍କୁ ଦୁଇ ଡୋଜ୍‌ ଦେଇସାରିଛନ୍ତି।
ବାସ୍ତବରେ ଟିକାକରଣ ହାର ଦୃଷ୍ଟିରୁ ୭୭ଟି ଦେଶ ପଛରେ ରହିଛି ଭାରତ। ବିଶ୍ବରେ ୟୁଏଇ, ପର୍ତ୍ତୁଗାଲ୍‌, କ୍ୟୁବା, ଚିଲି, ମାଲ୍‌ଟା, କାତାର, ସିଙ୍ଗାପୁର, କାମ୍ବୋଡିଆ ସବୁଠାରୁ ଆଗରେ ଅଛନ୍ତି। ପ୍ରଥମ ଡୋଜ୍‌ ଟିକା ହାର ଦୃଷ୍ଟିରୁ ୟୁରୋପୀୟ ରାଷ୍ଟ୍ରସଂଘ (୬୬%), ୟୁଏଇ (୯୮%), କ୍ୟୁବା (୮୬%), ସ୍ପେନ୍‌ (୮୧%), ଚାଇନା (୭୯%), ଇଟାଲୀ (୭୭%), ଜାପାନ (୭୬%), ଫ୍ରାନ୍ସ (୭୬%), ବ୍ରାଜିଲ (୭୪%), ୟୁକେ (୭୪%), ଆମେରିକା (୬୬%), ଜର୍ମାନୀ (୬୯.୬୬%), ଶ୍ରୀଲଙ୍କା (୬୮%), ଇସ୍ରାଏଲ୍‌ (୬୯%)। ସବୁ ଦେଶ ଭାରତଠାରୁ ବହୁ ଭଲ ସ୍ଥିତିରେ ଅଛନ୍ତି। ଏପରିକି ଦ୍ୱିତୀୟ ଡୋଜ୍‌ ଟିକା ଦୃଷ୍ଟିରୁ ୟୁରୋପୀୟ ରାଷ୍ଟ୍ରସଂଘ (୫୭.୪%), ୟୁଏଇ (୮୮%), କ୍ୟୁବା (୬୧%), ସ୍ପେନ୍‌ (୭୯%), ଚାଇନା (୭୫%), ଇଟାଲୀ (୭୧%), ଜାପାନ (୬୯%), ଫ୍ରାନ୍ସ (୬୮%), ବ୍ରାଜିଲ (୫୨%), ୟୁକେ (୬୮%), ଆମେରିକା (୫୭%), ଜର୍ମାନୀ (୬୬%), ଶ୍ରୀଲଙ୍କା (୫୯%), ଇସ୍ରାଏଲ୍‌ (୬୩%)। ସବୁ ଦେଶ ଭାରତଠାରୁ ବହୁ ଭଲ ସ୍ଥିତିରେ ଅଛନ୍ତି। ବିଶ୍ୱରେ ୦.୭% ଜନତା ଆଉ ଏକ ଅତିରିକ୍ତ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ନେଇଥିଲା ବେଳେ ଭାରତରେ କେହି ନେଇନାହାନ୍ତି।
ବର୍ତ୍ତମାନ ଦେଶର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର। ତୈଳଦର ବୃଦ୍ଧି ସାଙ୍ଗକୁ ମୁଦ୍ରାସ୍ଫୀତି, ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଅନେକ ଜନତାଙ୍କ ଜୀବନ ମାନଦଣ୍ଡ ହ୍ରାସ କରିଛି। ଦାରିଦ୍ର୍ୟ, କ୍ଷୁଧା, ବେକାରି ଓ ବୈଷମ୍ୟ ଭୟଙ୍କର ରୂପ ଧାରଣ କରିଛି। ବର୍ତ୍ତମାନ ମହାମାରୀ ଗରିବ ଲୋକଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିଛି। କୋଟି କୋଟି ଜୀବିକା ହରାଇଛନ୍ତି। ପିୟୁ ସର୍ଭେ- ୨୦୨୦ ଅନୁସାରେ ପ୍ରାୟ ୩.୨ କୋଟି ଲୋକ ମଧ୍ୟବିତ୍ତ ଶ୍ରେଣୀରୁ ତଳକୁ ଖସି ଆସିଛନ୍ତି। ଗରିବ ଲୋକଙ୍କ ସଂଖ୍ୟା (ଦିନକୁ $ ୨ କିମ୍ବା ତା’ଠାରୁ କମ୍‌ ଆୟ ଅନୁସାରେ) ୭.୫ କୋଟି ବୃଦ୍ଧି ପାଇଛି। ସିଏମ୍‌ଆଇ ଅନୁସାରେ ୯୭% ଭାରତୀୟଙ୍କ ଆୟ ୨୦୨୦ରେ ହ୍ରାସ ପାଇଛି। ଆଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟର ଗବେଷଣା ଅନୁଯାୟୀ ସର୍ବନିମ୍ନ ମଜୁରି ଆଧାରରେ ପ୍ରାୟ ୨୩ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଗହ୍ବରକୁ ଠେଲି ହୋଇ ଯାଇଛନ୍ତି। ସରକାର ସମ୍ବଳ ପାଇଁ ରାଷ୍ଟ୍ରାୟତ୍ତ ଶିଳ୍ପକୁ ଘରୋଇକରଣ କରିବା, ରାଷ୍ଟ୍ରର ସମ୍ପତ୍ତିକୁ ଲିଜ୍‌ ଦେବା ଦର୍ଶାଉଛି ଯେ, ପରିସ୍ଥିତି କେତେ ଭୟଙ୍କର। ପ୍ରଚାରରେ ଲିପ୍ତ ନ ରହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରୟାସ କରିବା ଉଚିତ।
ମୋ:୯୪୩୭୨୦୮୭୬୨