Categories: ଜାତୀୟ

ମାଳଦ୍ୱୀପ ବାସନ୍ଦ ଚର୍ଚ୍ଚା ଜୋର୍‌ ଧରିଲା, ଅପମାନକୁ କଦାପି ବରଦାସ୍ତ କରାଯିବନି: ଲାକ୍ଷାଦ୍ୱୀପ ପ୍ରଶାସନ

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ମାଳଦ୍ୱୀପ ବର୍ଜନ’ ଚର୍ଚ୍ଚା ଜୋର୍‌ ଧରିଛି। ମାଳଦ୍ୱୀପ ବଦଳରେ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଲାକ୍ଷାଦ୍ୱୀପ ବେଳାଭୂମିକୁ ପର୍ଯ୍ୟଟନ ସ୍ଥଳ ଭାବେ ବାଛିବାକୁ କୁହାଯାଉଛି। ଅକ୍ଷୟ କୁମାର, ସଲମାନ୍‌ ଖାନ୍‌, ଶ୍ରଦ୍ଧା କପୁର, ହାର୍ଦ୍ଦିକ ପାଣ୍ଡ୍ୟା, ସଚିନ ତେନ୍ଦୁଲକର ଓ ଅନ୍ୟ ସେଲିବ୍ରିଟିମାନେ ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଆହ୍ବାନକୁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ସହ ଯେଉଁମାନେ ରୋମାଞ୍ଚକୁ ଭଲ ପାଆନ୍ତି, ସେମାନେ ନିଶ୍ଚିତ ଭାବେ ଲାକ୍ଷାଦ୍ୱୀପ ଆସିବା ଉଚିତ ବୋଲି ଲେଖିଥିଲେ। ସେମାନେ ମାଳଦ୍ୱୀପକୁ ନିନ୍ଦା କରିବା ସହ ଘୃଣାକୁ ବରଦାସ୍ତ କରାଯିବନାହିଁ ବୋଲି ଅକ୍ଷୟ କୁମାର ଏକ୍ସ’ରେ ଲେଖିଥିଲେ। ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚନ ମଧ୍ୟ ପର୍ଯ୍ୟଟନ ସ୍ଥଳ ଭାବେ ଲାକ୍ଷାଦ୍ୱୀପର ପ୍ରଚାର ପ୍ରସାର ଅଭିଯାନରେ ସେମାନଙ୍କ ସହ ହାତ ମିଳାଇଛନ୍ତି। ସେ ଲାକ୍ଷାଦ୍ୱୀପର ଚମତ୍କାର ସୌନ୍ଦର୍ଯ୍ୟସ୍ଥଳର ଉଚ୍ଚ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ ଗସ୍ତରେ ଯାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ମାଳଦ୍ୱୀପର ୩ ଜଣ ମନ୍ତ୍ରୀ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିବାଦ ଲାଗି ରହିଥିବାବେଳେ ବହିର୍ବ୍ୟାପାର ମନ୍ତ୍ରଣାଳୟ ସୋମବାର ମାଳଦ୍ୱୀପ ରାଷ୍ଟ୍ରଦୂତ ଇବ୍ରାହିମ୍‌ ଶାହିବଙ୍କୁ ଡକାଇ ଭାରତର ପ୍ରତିବାଦ ଜଣାଇଦେଇଛି। ଏହାର କିଛି ସମୟ ପରେ ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ମୁନୁ ମହାଓ୍ବର ସେଠାର ବହିର୍ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ମର୍ଯ୍ୟାଦାକୁ ଚ୍ୟାଲେଞ୍ଜ କରିଥିବା ଲାକ୍ଷାଦ୍ୱୀପ ପ୍ରଶାସନ ପ୍ରଫୁଲ୍ଲ ଖୋଡା ପଟେଲ କହିଛନ୍ତି। ଭାରତ ଏଭଳି ଅପମାନକୁ କଦାପି ବରଦାସ୍ତ କରିବ ନାହିଁ। ଅପମାନଜନକ ମନ୍ତବ୍ୟ ପାଇଁ ମାଳଦ୍ୱୀପ ସର୍ବସାଧାରଣରେ କ୍ଷମା ମାଗୁ ବୋଲି ସେ ଦାବି କରିଛନ୍ତି।

Share