ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଉତ୍ତାପର ସଂସ୍ପର୍ଶରେ ଆସିବା ଦ୍ୱାରା ସମ୍ବେଦନଶୀଳ ଜ୍ଞାନ ସ୍ନାୟୁୁ ଶକ୍ତିହୀନ ହେବାର ଆଶଙ୍କା ରହିଥାଏ, କିନ୍ତୁ ଏହା ସମଗ୍ର ଜନସଂଖ୍ୟାରେ ସମାନ ନୁହେଁ।

ଅଧ୍ୟୟନ ଅନୁଯାୟୀ, ଅତ୍ୟଧିକ ଉତ୍ତାପ ହେଉଛି ବିଶ୍ୱରେ ପାଣିପାଗ ଜନିତ ମୃତ୍ୟୁର ମୁଖ୍ୟ କାରଣ, ବିଶେଷକରି ଆମେରିକାରେ, ଯାହା ପ୍ରତିବର୍ଷ ଝଡ଼, ଘୂର୍ଣ୍ଣିବଳୟ ଏବଂ ବଜ୍ରପାତ ଅପେକ୍ଷା ଅଧିକ ଲୋକଙ୍କ ଜୀବନ ନେଇଥାଏ। ଛୋଟ ପିଲା ଏବଂ ବୃଦ୍ଧମାନେ ଉତ୍ତାପ ଜନିତ ସମସ୍ୟା ଗରମ ଥକାପଣ ଏବଂ ଅଂଶୁଘାତର ଶିକାର ହୋଇଥାନ୍ତି।
ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଅତ୍ୟଧିକ ଉତ୍ତାପର ସଂସ୍ପର୍ଶରେ ଆସିବା ଦ୍ୱାରା ଗରିବ ଲୋକଙ୍କ ଶୀଘ୍ର ଜ୍ଞାନଗତ ହ୍ରାସ ଘଟାଇଥାଏ। କିନ୍ତୁ ଧନୀମାନେ କମ ପ୍ରଭାବିତ ହୋଇଥାନ୍ତି। ଗବେଷକମାନଙ୍କ କହିବାନୁସାରେ, ଧନୀ ଲୋକଙ୍କ ପାଖରେ କେତେକ ଉତ୍ସ ରହିଥାଏ ଯାହା ଉତ୍ତାପକୁ ରୋକିବାରେ ସାହାଯ୍ୟ କରିଥାଏ। ସୁପରିଚାଳିତ ସବୁଜ କ୍ଷେତ୍ର, ଏୟାର କଣ୍ଡିସନର ଏବଂ ଥଣ୍ଡା ଭଳି ଜିନିଷ ସେମାନଙ୍କୁ ଗରମରୁ ରକ୍ଷା କରିଥାଏ। ଦାରିଦ୍ର୍ୟ ଲୋକଙ୍କ ପାଖରେ ଏହିପରି ଉତ୍ସଗୁଡିକ ବିଦ୍ୟମାନ ନ ଥାଏ।

ଅଧ୍ୟୟନ ପାଇଁ, ଅନୁସନ୍ଧାନକାରୀମାନେ ୧୨ ବର୍ଷ ମଧ୍ୟରେ ମିସିଗାନ ୟୁନିଭରସିଟି ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ ଏବଂ ଅବସର ଅଧ୍ୟୟନର ଏକ ଅଂଶ ଭାବରେ ସର୍ଭେ ବ୍ୟବହାର କରିଥିଲେ। ଏହି ସର୍ଭେରେ ପ୍ରାୟ ୯,୫୦୦ ବୟସ୍କ ୫୨ ବର୍ଷରୁ ଅଧିକ ବୟସ୍କଙ୍କ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ଅନୁସନ୍ଧାନକାରୀମାନେ ଯେଉଁଠାରେ ଅଂଶଗ୍ରହଣକାରୀମାନେ ରହୁଥିଲେ ସେହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ପଦକ୍ଷେପ ଉପରେ ମଧ୍ୟ ଦୃଷ୍ଟି ଦେଇଥିଲେ। ଏଥିସହ, ସେମାନେ ତାପମାତ୍ରା ତଥ୍ୟ ଉପରେ ଆଧାର କରି ୧୨ ବର୍ଷ ମଧ୍ୟରେ ଅତ୍ୟଧିକ ଉତ୍ତାପର ଅଂଶଗ୍ରହଣକାରୀଙ୍କ ସାମଗ୍ରିକ ବିପଦକୁ ଗଣନା କରିଥିଲେ।

Share