ଗାଜାରେ ପଶିଲା ଇସ୍ରାଏଲ ସ୍ଥଳ ସେନା, ଚାଲିଛି ଘମାଘୋଟ ଯୁଦ୍ଧ, ବୋମାମାଡ଼

ନୂଆଦିଲ୍ଲୀ, ୨୮।୧୦: ଇସ୍ରାଏଲ ସ୍ଥଳ ସେନା ଶୁକ୍ରବାର ରାତିରେ ହୋଇଥିବା ଅପରେସନ୍ର ଗାଜାରେ ପ୍ରବେଶ କରିଛି। ଏନେଇ ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହାଜାରୀ ସୂଚନା ଦେଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ଏକ ଭିଡିଓ ସେୟାର କରିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବଡ଼ବଡ଼ ଟ୍ୟାଙ୍କ ଏବଂ ଭାରି ଯୁଦ୍ଧାସ୍ତ୍ର ସବୁ ଉତ୍ତର ପଟ ଦେଇ ଗାଜା ଭିତରକୁ ପ୍ରବେଶ କରୁଛି।

ଗାଜା ଭିତରକୁ ପ୍ରବେଶ କରି ଇସ୍ରାଏଲ ସେନା ସ୍ଥଳଭାଗରେ ଅପରେସନ ଆରମ୍ଭ କରିଛି। ସ୍ଥଳ ସେନା ଏହା ସହିତ ବଡ଼ ସଂଖ୍ୟାରେ ସୈନ୍ୟ, ଆର୍ଟିଲାରୀ ଏବଂ ଇଞ୍ଜିନିୟର ୟୁନିଟ୍ ଏବଂ ଟ୍ୟାଙ୍କ ଆଣିଛି। ସୈନ୍ୟମାନେ ବର୍ତ୍ତମାନ ହମାସ ସହିତ ଯୁଦ୍ଧ କରୁଛନ୍ତି, ଅଧିକ ତଥ୍ୟ ଆଗକୁ ଆସିପାରେ।

ଏହାପୂର୍ବରୁ ଇସ୍ରାଏଲ୍ ସୈନ୍ୟବାହିନୀ ବୁଧବାର ରାତି ଏବଂ ଗୁରୁବାର ରାତିରେ ଦୁଇଟି “ଟାର୍ଗେଟ ରେଡ୍” କରିଥିଲା। ଉଭୟ ଆକ୍ରମଣ ସମୟରେ କିଛି ଘଣ୍ଟା ପରେ ଗ୍ରାଉଣ୍ଡ ଫୋର୍ସ ପୁଣି ଫେରିଯାଇଥିଲେ। ତେବେ ଇସ୍ରାଏଲର ସାମରିକ ଅପରେସନ ବର୍ତ୍ତମାନ ଏକ ବ୍ୟାପକ ବିସ୍ତାର କରିଥିବା ଜଣାପଡିଛି।

ହାଜାରୀ ନିଶ୍ଚିତ କରିଛନ୍ତି ଯେ ଗାଜା ଉପରେ ରାତାରାତି ହୋଇଥିବା ଆକ୍ରମଣରେ ସେନାରେ କେହି ହତାହତ ହୋଇନାହାଁନ୍ତି। ଆମର ସୈନ୍ୟବାହିନୀକୁ ସୁରକ୍ଷିତ ରଖିବା ପାଇଁ ଆମେ ସବୁକିଛି କରୁଛୁ ବୋଲି ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

Share