ଆସୁଛି ଦୀପାବଳି; ମିଠା ତିଆରିରେ କ୍ଷତିକାରକ ସାମଗ୍ରୀ ବ୍ୟବହାର ରୋକିବାକୁ ସର୍ଭିଲାନ୍ସ ବଢାଇବ FSSAI

ନୂଆଦିଲ୍ଲୀ: ଆଗକୁ ଦୀପାବଳି ଆସୁଥିବା ବେଳେ ମିଠା ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିପାରେ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ ପାଇଁ ଶସ୍ତା ଅସ୍ୱାସ୍ଥ୍ୟକର ସାମଗ୍ରୀର ମିଶ୍ରଣ କରିପାରନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭାରତୀୟ ଖାଦ୍ୟ ନିରାପତା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ) ସମଗ୍ର ଦେଶରେ ସର୍ଭିଲାନ୍ସ ବଢାଇବାକୁ ନିଷ୍ପତି ନେଇଛି।

ଏଥିପାଇଁ ରାଜ୍ୟ ଖାଦ୍ୟ ନିରାପତ୍ତା ଇନ୍ସପେକ୍ଟରମାନଙ୍କୁ ଷ୍ଟୋରଗୁଡିକର ଅନୁସନ୍ଧାନ ଏବଂ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗୁଣାତ୍ମକ ମାନର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ସିଇଓ ଜି. କମଳା ବର୍ଦ୍ଧନ ରାଓ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଏଫ୍‌ଏସ୍‌ଏସ୍‌ଏଆଇଏହାର ସର୍ଭିଲାନ୍ସ ଏକ ଲକ୍ଷକୁ ବୃଦ୍ଧି କରିଛି। ଯାହାକୁ ଆଗାମୀ ବର୍ଷକୁ 7 ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ମିଠା ପ୍ରସ୍ତୁତି ପାଇଁ କ୍ଷୀର ଏକ ପ୍ରମୁଖ ଦ୍ରବ୍ୟ ଅଟେ। ତେବେ ସର୍ଭିଲାନ୍ସ ଟିମ୍ ତଦାରଖ ସମୟରେ କ୍ଷୀରଜାତ ପଦାର୍ଥରେ ପ୍ରସ୍ତୁତ ମିଠାର ମାନ ପରୀକ୍ଷା ଉପରେ ଅଧିକ ଧ୍ୟାନ ଦେବ।

କ୍ଷୀର, ଘିଅ ଏବଂ ଶୁଖିଲା ଫଳ ମିଠା ପ୍ରସ୍ତୁତିରେ ବ୍ୟବହୃତ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଅନେକ ବିକ୍ରେତା ସେମାନଙ୍କ ପାମ୍ ତେଲକୁ ଘିଅ ବଦଳରେ ବ୍ୟବହାର କରନ୍ତି। ଏହା ବ୍ୟତୀତ ପ୍ରକ୍ରିୟାକୃତ କ୍ଷୀର, ବିଷାକ୍ତ ଉପାଦାନ ଯେପରିକି ଡିଟରଜେଣ୍ଟ, କାଉଷ୍ଟିକ୍ ସୋଡା, ଏବଂ ୟୁରିଆ କମ୍ ମୂଲ୍ୟରେ ପରିମାଣ ବଢାଇବା ପାଇଁ ବ୍ୟବସାୟୀମାନେ ବ୍ୟବହାର କରନ୍ତି। ଯାହା ଲୋକମାଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

Share