Categories: ଖେଳ

ଆନ୍ତଃ ଜିଲା କ୍ରିକେଟ : ଭୁବନେଶ୍ୱର ‘ବି’ ଚାମ୍ପିୟନ

ଭୁବନେଶ୍ୱର,୨୭ା୨(ସ୍ପୋଟର୍‌ସ ବ୍ୟୁରୋ) : ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍‌ ଆନ୍ତଃ ଜିଲା କ୍ରିକେଟ୍‌ରେ ଭୁବନେଶ୍ୱର ବି’ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ଫାଇନାଲରେ ଅବଶିଷ୍ଟ ଓଡ଼ିଶା ଡି’କୁ ୪ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅବଶିଷ୍ଟ ଓଡ଼ିଶା ୪୮.୧ ଓଭରରେ ୧୩୫ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଡି. ଗୌରବ ସର୍ବାଧିକ ୪୬ ଓ ପ୍ରିୟାଂଶୁ ମହାନ୍ତି ୨୩ ରନ୍‌ କରିଥିଲେ। ଭୁବନେଶ୍ୱର ପକ୍ଷରୁ ସୟଦ ତୁଫୈଲ ଅହମଦ୍‌ ୧୯ ରନ୍‌ରେ ୪ ଉଇକେଟ ନେଇଥିବା ବେଳେ ଅନୁଜ ମହାସୁପକାର ୨ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର ବି’ ୪୦.୩ ଓଭର ଖେଳି ୬ ଉଇକେଟରେ ୧୩୯ ରନ୍‌ କରି ମ୍ୟାଚ୍‌ ଜିତିନେଇଥିଲା। କରନ ମହାପାତ୍ର ୪୪ ଓ ଏମ୍‌.ଜି. ଗୋପାଳ ୩୭ ରନ୍‌ କରିଥିଲେ। ସୟଦ ତୁଫୈଲ ଅହମଦଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା। ଅବଶିଷ୍ଟ ଓଡ଼ିଶା ପକ୍ଷରୁ ଶୁଭାଶିଷ ପାଲୋ ଓ ପ୍ରିୟାଂଶୁ ମହାନ୍ତି ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ସୂଚନା ଯେ, ଫେବୃୟାରୀ ୨ରୁ ୩୬ ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ୬ଟି ଦଳ ସୁପର ଲିଗ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଅବଶିଷ୍ଟ ଓଡ଼ିଶାର ୪ ଦଳକୁ ସାମିଲ କରାଯାଇଥିଲା। ୧୦ ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିବା ବେଳେ ଦୁଇ ଶୀର୍ଷ ଦଳ ଫାଇନାଲ ଖେଳିଥିଲେ। ଉଦ୍‌ଯାପନୀ ସମାରୋହରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଆପେକ୍ସ କାଉନ୍‌ସିଲ୍‌ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଦସ୍ୟ ନୃସିଂହ ଚରଣ ଚୌଧୁରୀ, ଶିବବ୍ରତ ମଲିକ୍‌, ଅମିତ୍‌ ବେହେରା, ତ୍ରଡିତ କୁମାର ରାଉତ, ଅଞ୍ଜନ କୁମାର ଖୁଣ୍ଟିଆ ଓ ସିଇଓ ସୁବ୍ରତ କୁମାର ବେହେରା ଉପସ୍ଥିତ ଥିଲେ।

Share