Categories: ଖେଳ

ଆନ୍ତଃ ଜିଲା ମହିଳା ଟି୨୦: ଯାଜପୁର ଚାମ୍ପିୟନ

କଟକ,୧୦ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ରେଭେନଶା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଆନ୍ତଃ ଜିଲା ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭୁବନେଶ୍ୱରକୁ ହରାଇ ଯାଜପୁର ଚାମ୍ପିଅନ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ୨୦ ଓଭରରେ ୪ ଉଇକେଟ ହରାଇ ୧୧୧ରନ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ୩୩ରନ କରିଥିଲେ। ଜି.ଏମ ଅଳକାନନ୍ଦା ୫୦ବଲରୁ ୨୨ରନର ଧିମା ଇନିଂସ ଖେଳିଥିଲେ। ଯାଜପୁର ପକ୍ଷରୁ ଡି. କାଲନ୍ସି, କାଜଲ ଜେନା ଏବଂ ସୁଚିସ୍ମିତା ପଣ୍ଡାଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ଜବାବରେ ଯାଜପୁର ୧୮.୧ ଓଭରରେ କୌଣସି ଉଇକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଓପନର କାଜଲ ୭୫ ଏବଂ ଅଲିପ୍ସା ବିଶ୍ୱାଳ ୩୯ ରନରେ ଅପରାଜିତ ରହି ଦଳକୁ ଟାଇଟଲ ଜିତାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ କରିଥିବା କାଜଲ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଭେନଶା ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଡ.ଅସୀମା ସାହୁ, ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, ସିଇଓ ସୁବ୍ରତ କୁମାର ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅଞ୍ଜନ କୁମାର ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତି, ଶିବବ୍ରତ ମଲିକ, ନିର୍ବାଣ ରାୟ, ବିଜୟ କୁମାର ଦାସ, ଅମିତ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Share