Categories: ଖେଳ

ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍‌ ପାଇଁ ଅନ୍ତିମ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଏହା ଉପରେ ଅନେକଙ୍କ ନଜର ରହିଛି। ପ୍ରଥମ ଦିବସରେ ୪ଟି ଇଭେଣ୍ଟର ଫଳାଫଳ ଚୂଡ଼ାନ୍ତ ହୋଇଛି। ପୁରୁଷ ୧୦,୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଦୁଇଜଣ ଏସିଆନ ଗେମ୍ସ ଯୋଗ୍ୟତା ଅଙ୍କ ହାସଲ କରିପାରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ତଥା କିମ୍ବଦନ୍ତୀ ଭାରତୀୟ ଆଥ୍‌ଲେଟ ପି.ଟି. ଉଷା ଚାମ୍ପିୟନଶିପ୍‌ର ଆରମ୍ଭ ଘୋଷଣା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା ଏବଂ ଭାରତୀୟ ଆଥ୍‌ଲେଟିକ୍ସ ମୁଖ୍ୟ କୋଚ୍‌ ରାଧାକ୍ରିଷ୍ଣନ ନାୟର ପ୍ରମୁଖ ଉପସ୍ଥିତ ଥିଲେ। ଆଥ୍‌ଲେଟଙ୍କ ତରଫରୁ ଭାରତର ଅଗ୍ରଣୀ ସ୍ପ୍ରିଣ୍ଟର ଓଡ଼ିଶାର ଶ୍ରାବଣୀ ନନ୍ଦ ଶପଥପାଠ କରିଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆଥ୍‌ଲେଟିକ୍ସ ଓ ଅଫିସିଆଲମାନଙ୍କୁ ସ୍ବାଗତ କରିଥିଲେ। ଆଇକନିକ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୩ ଆୟୋଜନ ହେଉଥିବାରୁ ସେ ଗର୍ବିତ ଓ ଉତ୍ସାହିତ। କ୍ରୀଡ଼ାର ପ୍ରସାର ଆମ ଦେଶ ଓ ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇଦେବା ଆମର ଏକ ପ୍ରଚେଷ୍ଟା। ଅତୀତରେ ଆମେ ଇଣ୍ଡିଆନ ଗ୍ରାଁପ୍ରି ୩ ଓ ୪ ସଫଳତାର ସହ ଆୟୋଜନ କରିଛୁ। ଆମ ସମସ୍ତଙ୍କ ଲାଗି ଏହା ଏକ ସ୍ମରଣୀୟ ଅନୁଭୂତି ହୋଇ ରହିଛି। ଶେଷରେ ସେ ଓଡ଼ିଶା ଦଳର ଶୁଭକାମନା କରିଥିଲେ। ଇଭେଣ୍ଟର ଆରମ୍ଭ ଘୋଷଣା କରି ଆଇଓଏ ସଭାପତି ପିଟି ଉଷା କହିଥିଲେ, ଓଡ଼ିଶା ସରକାର ଏହି ଇଭେଣ୍ଟର ଆୟୋଜନ କରିଥିବାରୁ ସେ ବହୁତ ଖୁସି। ଜାତୀୟସ୍ତରର ସୁନାମ ଓ ପରିଚୟ ସୃଷ୍ଟି କରିବା ଦିଗରେ ସମଗ୍ର ଦେଶରୁ ବଛାବଛା ଆଥ୍‌ଲେଟ ଏଥିରେ ଅଂଶଗ୍ରହଣ କରିଛନ୍ତି। ଭଲ ପ୍ରଦର୍ଶନ କଲେ ଆଗାମୀ ତିନୋଟି ପ୍ରମୁଖ ଇଭେଣ୍ଟ ଏସିଆନ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌, ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଏବଂ ସେପ୍ଟେମ୍ବରରେ ଏସିଆନ ଗେମ୍ସ ପାଇଁ ସେମାନଙ୍କୁ ଅନ୍ୟତମ ଦାବିଦାର ଭାବେ ଉପସ୍ଥାପନ କରିପାରିବେ। ଉଦ୍‌ଘାଟନୀ ଓ ପ୍ରଥମ ଦିବସ ପଦକ ବିତରଣ ଉତ୍ସବ ପରେ କିମ୍ବଦନ୍ତୀ ସ୍ପ୍ରିଣ୍ଟର ପି.ଟି ଉଷା, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ଭିନିଲ କ୍ରିଷ୍ଣା ନିର୍ମାଣଧୀନ ଇନ୍‌ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ ପରିଦର୍ଶନ କରିଥିଲେ, ଯାହାକି ପ୍ରଥମ ଇନ୍‌ଡୋର ଆଥ୍‌ଲେଟିକ୍ସ ଷ୍ଟାଡିୟମ ବିବେଚିତ ହେବ।

Share