ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭ୍ୟାନ୍ରୁ ୮୧୦ କେଜି ଗଞ୍ଜେଇ ଜବତ ମାମଲାରେ ୱାଣ୍ଟେଡ୍ ଥିବା ଜଣେ ଆନ୍ତଃ ରାଜ୍ୟ ନିଶାମାଫିଆ ଉତ୍ତରପ୍ରଦେଶର ଆଗ୍ରାରୁ ଧରାପଡ଼ିଛନ୍ତି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଫ୍) ଓ କୋରାପୁଟ ପୋଲିସର ଏକ ମିଳିତ ଟିମ୍ ଶନିବାର ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ଆଗ୍ରା ଜିଲା ଏତମାଦ୍ପୁର ଥାନା ଅଧୀନ ଅଗୱାରଖାସ ଗ୍ରାମର ଶିବନାଥ ସିଂ। ଗିରଫ ପରେ ତାଙ୍କୁ ଆଗ୍ରା ଚିଫ୍ ଜୁଡ଼ିସିଆଲ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ଶିବନାଥଙ୍କୁ ଓଡ଼ିଶା ଅଣାଯାଉଛି। କୋରାପୁଟ ଅତିରିକ୍ତ ଜିଲା ଦୌରାଜଜ୍ଙ୍କ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି ଏସ୍ଟିଏଫ୍ ସୂଚନା ଦେଇଛି।
ସୂଚନା ଅନୁଯାୟୀ, ୨୦୨୧ ଅଗଷ୍ଚ ୭ ତାରିଖରେ କୋରାପୁଟ ଜିଲାର ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନକୁ ଜବତ କରିବା ସହ ଉତ୍ତରପ୍ରଦେଶର ଦୁଇଜଣଙ୍କୁ ଗିରଫ କରିଥିଲା। ଯା଼ଞ୍ଚ ବେଳେ ଭ୍ୟାନ୍ରୁ ୮୧୦ କେଜିର ଗଞ୍ଜେଇ ମିଳିଥିଲା। ସମ୍ପୃକ୍ତ ଦୁଇଜଣଙ୍କୁ ପଚରାଉଚରା ବେଳେ ଶିବନାଥ ତାଙ୍କ ଭ୍ୟାନରେ ଗଞ୍ଜେଇ ଚାଲାଣ ପାଇଁ ପଠାଇଥିବା କହିଥିଲେ। ମାଛକୁଣ୍ଡ ପୋଲିସ ମାମଲା (ନଂ. ୬୧/୨୧) ରୁଜୁ କରି ଶିବନାଥଙ୍କୁ ଧରିବାକୁ ତଦନ୍ତ ଜାରି ରଖିଥିଲା। ଓଡ଼ିଶା ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବା ଖବର ପାଇ ଶିବନାଥ ଫେରାର ହୋଇଯାଇ ଥିଲେ। କୋରାପୁଟ ପୋଲିସ ଶିବନାଥଙ୍କ ଠିକଣା ଆଣି ତାଙ୍କ ସମ୍ପର୍କରେ ସୂଚନା ଦେବାକୁ ଏତମାଦ୍ପୁର ପୋଲିସକୁ କହିଥିଲା। କୋରାପୁଟ ପୋଲିସ ଏସ୍ଟିଏଫ୍ର ସହାୟତାରେ ଶିବନାଥଙ୍କୁ କାବୁ କରିଥିଲା।