ଆକ୍ସନ ଫିଲ୍ମରେ ରୁଚି

ଏକାଧିକ ବଲିଉଡ୍‌ ଫିଲ୍ମରେ ଅଭିନୟ କରି ଅଭିନୟ ଜଲଓ୍ବାରେ ଦର୍ଶକଙ୍କ ମନ କିଣିଥିବା ଭୂମି ପେଡ଼ନେକର ଏବେ ଆକ୍ସନ ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି। ଏକ ସାକ୍ଷାତକାରରେ ଭୂମି କହିଛନ୍ତି ଯେ, ମୁଁ ବର୍ତ୍ତମାନ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛି। ବର୍ତ୍ତମାନ ସୁଦ୍ଧା ମୁଁ ଏ ପ୍ରକାର ଫିଲ୍ମରେ କାମ କରି ନ ଥିବାବେଳେ ଆଗାମୀ ଦିନରେ ଯଦି ମୋତେ ଏପରି ଫିଲ୍ମ କରିବାକୁ ସୁଯୋଗ ମିଳେ , ତେବେ ମୁଁ ନିହାତି ଭାବେ ଫିଲ୍ମରେ କାମ କରିବି ବୋଲି ସେ କହିଛନ୍ତି। ହଲିଉଡ୍‌ ଫିଲ୍ମ ଲାରା କ୍ରୋଫ୍ଟ , ମାଟ୍ରିକ୍ସ ପରି ଆକ୍ସନ ଫିଲ୍ମରେ ନିଜକୁ ଦେଖିବାକୁ ତାଙ୍କର ଇଚ୍ଛା ଥିବା ସେ ସାକ୍ଷାତକାରରେ କହିଛନ୍ତି। ଫିଲ୍ମି ଦୁନିଆରେ ଅନେକ କିଛି ନୂଆ ଜିନିଷ ଜାଣିବାକୁ ଥିବାବେଳେ ଏଥିରୁ ଅନେକ ଜିନିଷ ଆବିଷ୍କାର ମଧ୍ୟ କରାଯାଇ ପାରିବ।
ବି.ଟାଉନ୍‌ରେ ଭୂମି ନିଜ ଟ୍ୟାଲେଣ୍ଟ ଜରିଆରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ‘ଦମ୍‌ ଲଗାକେ ହଇସା’ରୁ ନିଜ ଫିଲ୍ମି କ୍ୟାରିୟର ସେ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ଆୟୁଷ୍ମାନ ଖୁରାନା। ବର୍ତ୍ତମାନ ସୁଦ୍ଧା ଭୂମି ରୋମାଣ୍ଟିକ୍‌, ଫ୍ୟାମିଲି ଡ୍ରାମା ଏବଂ କମେଡି ଫିଲ୍ମ ଜରିଆରେ ନଜରକୁ ଆସିଛନ୍ତି। ଅଗଷ୍ଟ ୧୧ରେ ଭୂମି ଓ ଅକ୍ଷୟ କୁମାରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ ରକ୍ଷା ବନ୍ଧନ’ ରିଲିଜ୍‌ ହେବ। ଏହା ଏକ କମେଡି ଡ୍ରାମା ଫିଲ୍ମ ହୋଇଥିବାବେଳେ ଆନନ୍ଦ ଏଲ୍‌. ରାଏ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

Share