ଚୌକିର ମୋହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ଶିଶୁକୁ ଏକ ଉପଯୁକ୍ତ ମଣିଷ ଭାବରେ ଗଢ଼ିବାରେ ଶିକ୍ଷକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଶିକ୍ଷକଙ୍କୁ ଶିଶୁର ଦ୍ୱିତୀୟ ପିତାର ମର୍ଯ୍ୟାଦା ଦିଆଯାଇଛି। ପୁଣି ମନୁ ସଂହିତାର ଦ୍ୱିତୀୟ ଅଧ୍ୟାୟରେ କୁହାଯାଇଛି- ”ଉତ୍ପାଦକବ୍ରହ୍ମଦାତ୍ରୋର୍ଗରୀୟାନ୍‌ ବ୍ରହ୍ମଦଃ ପିତା।“ ଅର୍ଥାତ୍‌ ଜନ୍ମଦାତା ଓ ବିଦ୍ୟାଦାତା ମଧ୍ୟରେ ବିଦ୍ୟାଦାତା-ପିତା ଅଧିକ ସମ୍ମାନନୀୟ। ସେଥିପାଇଁ ଭାରତୀୟ ପରମ୍ପରାରେ ରାଜା ମହାରାଜାମାନେ ମଧ୍ୟ ଗୁରୁଙ୍କୁ ସର୍ବୋଚ୍ଚ ସମ୍ମାନ ଦେଉଥିଲେ। ରାଜଦରବାରରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଆସନ ରହୁଥିଲା। ସେହି ଆସନରେ ଆଉ କାହାରି ବସିବାର ଅଧିକାର ନ ଥିଲା। ମନେପଡ଼େ ପ୍ରାୟ ତିରିଶ ବର୍ଷ ତଳର ଏକ ଘଟଣା। ସେତେବେଳେ ମୁଁ ମୟୂରଭଞ୍ଜ ଜିଲାର ଏକ ପୁରାତନ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥାଏ। ସେହି ବିଦ୍ୟାଳୟର ସଭାପତି ଥା’ନ୍ତି ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀ। ସେଠାରେ ସେ ନୂଆ ଯୋଗଦେଇଥାନ୍ତି। ଦିନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ମୁଁ ବସିଥିବା ବେଳେ ସେ ହଠାତ୍‌ ପ୍ରବେଶ କଲେ। ସେ ମହାବିଦ୍ୟାଳୟର ସଭାପତି ହୋଇଥିବାରୁ ଅଧ୍ୟକ୍ଷ ସୌଜନ୍ୟବଶତଃ ଉଠିପଡ଼ି ସେହି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ତାଙ୍କ ଆସନରେ ବସିବାକୁ ଅନୁରୋଧ କରନ୍ତେ ପ୍ରଶାସନିକ ଅଧିକାରୀ କହିଲେ, ”ସାର୍‌, ପ୍ରତ୍ୟେକ ପଦାଧିକାରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଆସନ ରହିଛି। ଆପଣ ମହାବିଦ୍ୟାଳୟର ଅଧ୍ୟକ୍ଷ। ଆପଣଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିବାର ଅଧିକାର ମୋର ନାହିଁ।“ ଏହା କହି ସେ ଅଧ୍ୟକ୍ଷଙ୍କ ସାମ୍ନାରେ ଥିବା ଏକ ଚୌକିରେ ବସିପଡ଼ିଲେ।
ତିରିଶ ବର୍ଷ ପରେ ଏହି ଘଟଣାଟି ମନେପଡ଼ିବାର ଏକ କାରଣ ଅଛି। କିଛିଦିନ ତଳେ ଜଣେ ଉପଖଣ୍ଡସ୍ତରୀୟ ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ପଶ୍ଚିମ ଓଡ଼ିଶାର ଏକ କଲେଜକୁ କୌଣସି ଏକ କାମରେ ଯାଇ ଅଧ୍ୟକ୍ଷଙ୍କ ଚୌକିରେ ବସିପଡ଼ିଲେ। ତାହା ଶୁଣି ମୋ ମନରେ ପୁନର୍ଜୀବିତ ହୋଇଥିଲା ତିରିଶ ବର୍ଷ ତଳର ମହାବିଦ୍ୟାଳୟ ସଭାପତି ଥିବା ସେହି ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ କଥା। ଭାବୁଥିଲି ଦୁଇଜଣଙ୍କ ମଧ୍ୟରେ କେତେ ପାର୍ଥକ୍ୟ। ପଦବୀର ଅହଂକାର ଆଜି କିଛି ପ୍ରଶାସନିକ ଅଧିକାରୀଙ୍କୁ ଅନ୍ଧ କରିଦେଇଛି। ମନେପଡ଼ିଥିଲା ଆଉ ଏକ ଘଟଣା। ଇଂଲଣ୍ଡର ରାଜା ପଞ୍ଚମ ଜର୍ଜଙ୍କ ସମୟର କଥା। ଥରେ ସେ ଏକ ପବ୍ଲିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଅଧ୍ୟକ୍ଷଙ୍କ ପ୍ରକୋଷ୍ଠକୁ ସେ ପ୍ରବେଶ କରନ୍ତେ ଅଧ୍ୟକ୍ଷ ଛିଡ଼ାହୋଇ ଏକ ସୁନ୍ଦର ଚୌକିରେ ତାଙ୍କୁ ବସିବାକୁ ଅନୁରୋଧ କଲେ, ମାତ୍ର ନିଜ ଆସନ ଛାଡ଼ିଲେ ନାହିଁ। ରାଜା ଅସମ୍ମାନିତ ବୋଧକରି ମନେ ମନେ ଭୀଷଣ ରାଗୁଥିଲେ। ମାତ୍ର କ୍ରୋଧ ପ୍ରକାଶ କରିପାରୁ ନ ଥିଲେ। ସ୍କୁଲ ପରିଦର୍ଶନ କାର୍ଯ୍ୟ ସରିଲା। ରାଜା ସ୍କୁଲ ପରିସର ବାହାରକୁ ଆସିବା ପରେ ଅଧ୍ୟକ୍ଷ ନତଜାନୁ ହୋଇ ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରନ୍ତେ ରାଜା କହିଲେ, ”ଆପଣ କକ୍ଷ ମଧ୍ୟରେ ମୋତେ ଅସମ୍ମାନିତ କରିସାରିଛନ୍ତି। ଏଠାରେ ଏହି ସମ୍ମାନ ପ୍ରଦର୍ଶନର କୌଣସି ମୂଲ୍ୟ ନାହିଁ।“ ମାତ୍ର ବିଦ୍ୟାଳୟ ଅଧ୍ୟକ୍ଷ ନମ୍ର ଭାବରେ କହିଲେ, ”ମହାରାଜ! ସ୍କୁଲ ପରିସର ମଧ୍ୟରେ ମୋର ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ମୁଁ ସର୍ବୋଚ୍ଚ ସମ୍ମାନର ଅଧିକାରୀ। ସେମାନଙ୍କ ସମ୍ମୁଖରେ ମୁଁ ଯଦି ଆପଣଙ୍କୁ ସମ୍ମାନ ଜଣାଇ ମୋ ଆସନ ଛାଡ଼ିଦେଇଥା’ନ୍ତି, ସେମାନେ ଭାବିଥାନ୍ତେ ଶିକ୍ଷକ ବଡ଼ ନୁହନ୍ତି, ତାଙ୍କଠାରୁ ବଡ଼ ରାଜା। ମାତ୍ର ସ୍କୁଲ ପରିସର ବାହାରେ ମୁଁ ଆପଣଙ୍କ ପ୍ରଜା।“ ପ୍ରଜାଙ୍କ ଦୃଷ୍ଟିରେ ରାଜା ହିଁ ସର୍ବୋଚ୍ଚ ସମ୍ମାନର ଅଧିକାରୀ। ଶିକ୍ଷକଙ୍କ କଥାର ଯଥାର୍ଥତା ବୁଝିପାରି ସେଦିନ ରାଜା ଶାନ୍ତମନରେ ଚାଲିଯାଇଥିଲେ।
ଆଜି ଭଲ ପାଠ ପଢ଼ି ନିଜ ମେଧାର ପରିଚୟ ଦେଇ ଯେଉଁମାନେ ଉଚ୍ଚ ଆସନର ଅଧିକାରୀ ହୋଇଛନ୍ତି ସେମାନେ ଭୁଲିଯିବା ଉଚିତ୍‌ ନୁହେଁ ଯେ ସେମାନଙ୍କୁ ମେଧାବୀ ଛାତ୍ର ଭାବେ ଗଢ଼ିତୋଳିଛନ୍ତି ଶିକ୍ଷକମାନେ। ମାତ୍ର ଉଚ୍ଚ ପ୍ରଶାସନିକ ପଦରେ ଅଧିଷ୍ଠିତ ହେବାପରେ ସେମାନଙ୍କ ଦୃଷ୍ଟିରେ ଏହି ଶିକ୍ଷକମାନେ ନୂ୍ୟନ ପରିଗଣିତ ହୁଅନ୍ତି। ପଦବୀର ଅହଂକାର ତାଙ୍କୁ କବଳିତ କରିନିଏ। ସେମାନେ ଭୁଲିଯିବା ଉଚିତ୍‌ ନୁହେଁ ଯେ ଯେଉଁ ପଦକୁ ନେଇ ସେମାନେ ନିଜକୁ ବଡ଼ ବୋଲି ଭାବନ୍ତି, ସେହି ପଦ କ୍ଷଣସ୍ଥାୟୀ। ପଦ ଚାଲିଗଲା ପରେ ସେମାନେ ସମାଜରେ ଆଉ ପୂର୍ବ ସମ୍ମାନର ଅଧିକାରୀ ହୋଇପାରନ୍ତିନାହିଁ। ଯେଉଁମାନେ ଦିନେ ତାଙ୍କୁ ଉଚ୍ଚ ସମ୍ମାନରେ ବସାଉଥିଲେ ସେମାନେ ହିଁ ତାଙ୍କୁ ଏଡ଼େଇ ଯାଆନ୍ତି, କାରଣ ସେମାନେ ତାଙ୍କ ବ୍ୟକ୍ତିତ୍ୱକୁ ସମ୍ମାନ ଜଣାଉଥିଲେ, ସମ୍ମାନ ଜଣାଉଥିଲେ ସେମାନଙ୍କ ପଦକୁ। ଏହି ପ୍ରସଙ୍ଗରେ ମନେପଡ଼େ ଏକ କ୍ଷୁଦ୍ର କାହାଣୀ। ଥିଲେ ଜଣେ ବୃଦ୍ଧ ଖ୍ୟାତିସମ୍ପନ୍ନ ସାଧୁ। ଜଣେ ଗୃହସ୍ଥ ଶିଷ୍ୟ ତାଙ୍କୁ ଭେଟିଦେଇଥିଲା ଏକ ଗଧ। ସାଧୁ ଶିଷ୍ୟମାନଙ୍କ ଘରକୁ ଯିବାବେଳେ ସେହି ଗଧକୁ ବାହନ ଭାବରେ ବ୍ୟବହାର କରୁଥିଲେ। ସେ ଜଣେ ଖ୍ୟାତିସମ୍ପନ୍ନ ସାଧୁ ହୋଇଥିବାରୁ ସେ ଯେତେବେଳେ ସହର ମଧ୍ୟ ଦେଇ ଗଧ ଉପରେ ବସି ଯାଆନ୍ତି ଲୋକେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରନ୍ତି ଓ ମୁଣ୍ଡିଆ ମାରନ୍ତି। ଲୋକମାନଙ୍କର ଏ ପ୍ରକାର ହାବଭାବ ଦେଖି ଗଧଟି ନିଜକୁ ଗର୍ବିତ ମନେ କରୁଥିଲା। ସେ ଭାବୁଥିଲା ଯେଉଁସବୁ ଅଭ୍ୟର୍ଥନା ମିଳୁଥିଲା, ସେସବୁ ବୃଦ୍ଧ ସାଧୁଙ୍କୁ ନୁହେଁ, ବରଂ ତାକୁ ମିଳୁଥିଲା। ଦିନେ ଅପରାହ୍ନରେ ବୃଦ୍ଧ ସାଧୁ ବିଶ୍ରାମ ନେବା ସମୟରେ ଗଧଟି ସେହି ଭାବନାକୁ ମନରେ ଧରି ଏକା ଏକା ସହର ପରିକ୍ରମା କଲା। କିନ୍ତୁ ସେ ଲକ୍ଷ୍ୟକଲା କେହି ବି ତାକୁ ଗୁରୁତ୍ୱ ଦେଉ ନ ଥିଲେ। ଏପରି କି ତା’ ଆଡ଼କୁ କେହି ସୁଦ୍ଧା ଅନାଉ ନ ଥିଲେ। ଲୋକମାନଙ୍କ ଏ ପ୍ରକାର ଆଚରଣରେ ସେ ବିସ୍ମିତ ହେଲା। ଶେଷରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଯେତେବେଳେ ବୋବାଇବାକୁ ଆରମ୍ଭକଲା, ସେତେବେଳେ ଲୋକମାନେ ତାକୁ ପ୍ରବଳ ମାଡ଼ ଦେଇ ବିଦା କରିଦେଲେ। ମାଡ଼ଖାଇ ମନଦୁଃଖରେ ଗଧଟି ଫେରିଆସିଲା ବିଶ୍ରାମ ନେଉଥିବା ସାଧୁଙ୍କ ପାଖକୁ ଓ ତା’ର ଅଭିଜ୍ଞତା ବର୍ଣ୍ଣନା କରି ପଚାରିଲା, ହଠାତ୍‌ ଲୋକଙ୍କ ଆଚରଣରେ ଏପରି ପରିବର୍ତ୍ତନ କାହିଁକି ହେଲା। ସାଧୁ କହିଲେ, ”ଜୀବନରେ ସବୁଠାରୁ ବଡ଼କଥା ହେଲା ସମ୍ପୃକ୍ତି, ତୁମେ କାହା ସଙ୍ଗରେ ଅଛ? ଅନେକ ସମୟରେ ନିଜର କିଛି ସ୍ବତନ୍ତ୍ର ଗୁଣ ନ ଥିଲେ ବି ଉଚ୍ଚପଦ ସହ ସମ୍ପୃକ୍ତି ଥିଲେ ଜଣେ ସମ୍ମାନ ପାଏ। ମାତ୍ର ଯେଉଁଦିନ ପଦ ଚାଲିଯାଏ, ନିଜର ବ୍ୟକ୍ତିତ୍ୱ ନ ଥିଲେ ପୂର୍ବ ସମ୍ମାନ ଆଉ ମିଳେନାହିଁ।“ ଆଜି ଯେଉଁମାନେ ନିଜ ପଦର ଅହଂକାରକୁ ନେଇ ଫୁଲି ଉଠୁଛନ୍ତି ସେମାନଙ୍କ ପାଇଁ ଏହି କାହାଣୀଟି ତୀବ୍ର ଚେତାବନୀ। ବ୍ରିଟିଶ୍‌ ଶାସନ ସମୟରେ ରାଧାନାଥ ଲେଖିଥିବା କେତେକ ପଙ୍‌କ୍ତି ଏବେ ବି ସତ୍ୟ।
କେହୁ ବୋଲେ ମୁହିଁ ଉଚ୍ଚ ପଦଧାରୀ।
ଉଚ୍ଚ ଆସନର ମୁହିଁ ଅଧିକାରୀ।
ଆନ ବୋଲେ ମୁହିଁ ଉଚ୍ଚ ବଂଶଧର।
ତୁ ସିନା ଅଢ଼େଇ ଦିନିଆ ଚାକର।
ଲାଗିଛି ଏପରି ଅହମିକା ଖେଳ।
ଅହମିକା ସିନ୍ଧୁ ହୋଇଛି ଉଦ୍‌ବେଳ।
ଅହମିକା ବାୟୁ ଗ୍ରସ୍ତ ହୋଇ ବ୍ୟସ୍ତେ।
ମୁଁ ମୁଁ କରି ଆହା ମରନ୍ତି ସମସ୍ତେ ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri