ସୂର୍ଯ୍ୟମୁଖୀ ଚାଷ ପ୍ରତି ଆଗ୍ରହ ବଢ଼ୁଛି

ବ୍ରହ୍ମପୁର,୧୬ା୫(ସ୍ମୃତି ରଞ୍ଜନ ମହାଲିକ)ସୂର୍ଯ୍ୟମୁଖୀରେ ପ୍ରଚୁର ପରିମାଣର ଜୀବନ ଶକ୍ତି ତଥା ଖାଦ୍ୟପ୍ରାଣ ରହିଛି। ଏଥିରେ ୨୦.୮% ପୁଷ୍ଟିସାର ସହ ୫୦% ସ୍ନେହସାର ଥିବାରୁ ଏଥିରୁ ଉତ୍ପାଦିତ ତେଲ ସ୍ବାସ୍ଥ୍ୟପ୍ରଦ। ଏହି ତେଲରେ ଅଧିକ ପରିମାଣର ଭିଟାମିନ ଏ,ଡି ଓ ଇ ରହୁଥିବାରୁ କୋଲେଷ୍ଟ୍ରଲ ଓ ରକ୍ତନଳୀ ଜନିତ ରୋଗ କମ ହୋଇଥାଏ। ସୂର୍ଯ୍ୟମୁଖୀ ପିଡିଆରେ ପୁଷ୍ଟିସାରର ମାତ୍ରା ଅଧିକ ଥିବାରୁ ଏହାକୁ ଉତ୍ତମ ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ରୂପେ ବ୍ୟବହାର କରାଯାଉଛି। ତେଣୁ ଗଞ୍ଜାମ ଜିଲାର ପ୍ରାୟ ଚାଷୀ ଏହି ଚାଷ କରିଥାନ୍ତି। ୮ରୁ ୩୪ ଡିଗ୍ରୀ ସେଲସିୟସ ଉତ୍ତାପ ଅନୁଭୂତ ଅଞ୍ଚଳରେ ଏହି ଚାଷ ହୋଇଥାଏ। ନିଗିଡା, ଦୋରସା ଓ ପଟୁ ଦୋରସା ମାଟିରେ ଏହି ଚାଷ ଭଲ ହୋଇଥାଏ। ତେଣୁ ଜିଲାରେ ଗତ ବର୍ଷ ରବି ଋତୁରେ ୮୭୩ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୬୬୭ ହେକ୍ଟର ଚାଷ ହୋଇଥିଲା। ୨୦୨୩-୨୪ରେ ଜିଲା କୃଷି ବିଭାଗ ପକ୍ଷରୁ ୧୦୦୦ ହେକ୍ଟର ଚାଷ ଜମିରେ ସୂର୍ଯ୍ୟମୁଖୀ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ୯୩୭ ହେକ୍ଟରରେ ଚାଷ ହୋଇଛି। ଆସିକା ବ୍ଲକରେ ୮୦ ହେକ୍ଟର, ଶେରଗଡରେ ୪୫, ଧରାକୋଟରେ ୧୦, ସୋରଡାରେ ୫୦, ପାତ୍ରପୁରରେ ୫୫, ଚିକିଟିରେ ୪୫, ରଙ୍ଗେଇଲୁଣ୍ଡାରେ ୫, ଭଞ୍ଜନଗରରେ ୫୦, ବେଲଗୁଣ୍ଠାରେ ୫୫, ଜଗନ୍ନାଥ ପ୍ରସାଦରେ ୧୨୦, ବୁଗୁଡାରେ ୩୭, ଛତ୍ରପୁରରେ ୪୦, ପୁରୁଷୋତ୍ତମପୁରରେ ୪୦, ଗଞ୍ଜାମରେ ୧୭, ହିଞ୍ଜିଳିରେ ୫୭, ଦିଗପହଣ୍ଡିରେ ୫, ସାନଖେମୁଣ୍ଡିରେ ୩୦, କୁକୁଡାଖଣ୍ଡିରେ ୫, ଖଲିକୋଟରେ ୩୩, ବେଗୁନିଆପଡାରେ ୩୩, କବିସୂର୍ଯ୍ୟନଗରରେ ୭୦ ଓ ପୋଲସରା ବ୍ଲକରେ ୫୫ ହେକ୍ଟର ସୂର୍ଯ୍ୟମୁଖୀ ଚାଷ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଜଗନ୍ନାଥ ପ୍ରସାଦ ବ୍ଲକରେ ସର୍ବାଧିକ ଚାଷ ହୋଇଥିବା ସୂଚନା ମିଳିଛି। ଗଞ୍ଜାମରେ ସାଧାରଣତଃ ୨ରୁ ୩ କିସମର ସୂର୍ଯ୍ୟମୂଖୀ ଚାଷ ହୋଇଥାଏ। ଚାଷୀମାନେ ନିଜେ ମଞ୍ଜି କିଣି ଚାଷ କରୁଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ କହିଛନ୍ତି। ବର୍ତ୍ତମାନ ଜିଲାରେ ୫୦% ଫୁଲ ଉପତ୍ାଦନ ସରିଛି। ଫୁଲ ବେଶୀ ମାତ୍ରାରେ ଆନ୍ଧ୍ରକୁ ରପ୍ତାନୀ ହେଉଥିବା ବେଳେ ବର୍ତ୍ତମାନ ଜିଲାର ବହୁ ଚାଷୀ ନିଜେ ଚାଷ କରିବା ସହ ଫୁଲରୁ ତେଲ ସଂଗ୍ରହ କରିବା ଉପାୟ ଅବଲମ୍ବନ କରିଛନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ଉନ୍ନତ କିସମର ବିହନ ଯୋଗାଣ ପାଇଁ ଚାଷୀମାନେ ଦାବି କରିବା ସହ ଚାଷ ଉପତ୍ାହନ କରୁଥିବା ସୂର୍ଯ୍ୟମୂଖୀ ତେଲର ବ୍ୟବସାୟୀକରଣ କ୍ଷେତ୍ରରେ ସରକାରୀ ସ୍ତରରେ ସହାୟତା ପାଇଁ ବହୁ ଚାଷୀ ଦାବି କରିଛନ୍ତି।

Share