Categories: ବାଣିଜ୍ୟ

୫ ବର୍ଷିଆ ଆର୍‌ଡି ଉପରେ ସୁଧ ହାର ବୃଦ୍ଧି

ନୂଆଦିଲ୍ଲୀ,୩୦।୯ (ଅଭୟ ଦାଶ) : ଚଳିତ ଆର୍ଥିକ ବର୍ଷର ୩ୟ (ଅକ୍ଟୋବରରୁ ଡିସେମ୍ବର) ତ୍ରୈମାସିକ ପାଇଁ କେନ୍ଦ୍ର ସରକାର ୫ବର୍ଷିଆ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଉପରେ ସୁଧ ହାର ବୃଦ୍ଧି ସହ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି। ଏପରିକି ୫ ବର୍ଷିଆ ଆର୍‌ଡିର ସୁଧହାର ଉପରେ ୨୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଫଳରେ ୫ବର୍ଷିଆ ଆର୍‌ଡି ଉପରେ ସୁଧ ହାର ୬.୫ ରୁ ୬.୭% କୁ ବୃଦ୍ଧି କରାଯାଇଛି। ଏହି ନୂଆ ଦର ୨୦୨୩ ଅକ୍ଟୋବର ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁହେବ। ଅପରପକ୍ଷେରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସ୍‌ସିଏସ୍‌ଏସ୍‌), ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‌ଏସ୍‌ସି), ପିପିଏଫ୍‌, କିଷାନ ବିକାଶ ପତ୍ର (କେଭିପି) ଏବଂ ସୁକନ୍ୟା ସମୃଦ୍ଧି ଯୋଜନା (ଏସ୍‌ଏସ୍‌ୱାଇ)ରେ ନିବେଶ ସୁଧ ଅର୍ଜନ ଜାରି ରଖିବ। ଅପରପକ୍ଷରେ ଶୁକ୍ରବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସଞ୍ଚୟ ଜମା ଉପରେ ୪% ଏବଂ ୧ ବର୍ଷର ମିଆଦୀ ଜମା ଉପରେ ୬.୯% ସୁଧ ପୂର୍ବ ଭଳି ଉପଲବ୍ଧ ରହିବ। ସେହିପରି ୨ବର୍ଷ ଓ ୩ ବର୍ଷର ମିଆଦୀ ଜମା ଉପରେ ସୁଧ ହାର ୭% ରହିଥିବା ବେଳେ ୫ବର୍ଷିଆ ମିଆଦୀ ଜମା ଉପରେ ସୁଧ ହାର ୭.୫% ରହିଛି। ବିଶେଷକରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ୮.୨% ସୁଧ ମିଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସରକାରଙ୍କ ପ୍ରମୁଖ ଯୋଜନା ଏମ୍‌ଆଇଏସ୍‌ ସ୍କିମ୍‌ରେ ସୁଧ ହାର ୭.୪% ଥିବାବେଳେ ଏନ୍‌ଏସ୍‌ସି ସ୍କିମ୍‌ ଉପରେ ୭.୭% ଓ ପିପିଏଫ୍‌ ସ୍କିମ୍‌ ଉପରେ ୭.୧% ରହିଛି, କେଭିପି ଉପରେ ସୁଧ ହାର ୭.୫ % ରହିଥିବାବେଳେ ଏହା ୧୧୫ ମାସ ମଧ୍ୟରେ ପରିପକ୍ୱ ହେବ। ସୁକନ୍ୟା ସମୃଦ୍ଧି ଆକାଉଣ୍ଟର ସୁଧ ହାର ୮% କୁ ବଜାୟ ରଖାଯାଇଛି।

Share