Advertisement

ଚକ୍ରବୃଦ୍ଧି ସୁଧ ଛାଡ଼ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା ଲାଗୁ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋରାଟୋରିୟମ ଅବଧିରେ ଲାଗୁ ହୋଇଥିବା ଚକ୍ରବୃଦ୍ଧି ସୁଧ ଛାଡ଼ ସମ୍ପର୍କିତ ନିଷ୍ପତ୍ତି ନଭେମ୍ବର ୨ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ବୁଧବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୁଦ୍ର ଋଣଗ୍ରହୀତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେବେ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି। ମାତ୍ର ଏହାର ପ୍ରକୃତ ଲାଭ ଲୋକମାନେ ଯେଭଳି ପାଇପାରିବେ ତାକୁ ମଧ୍ୟ ବିଚାର କରିବାକୁ ହେବ। ଲୋକଙ୍କର ଦୀପାବଳୀ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ରେ ହେବ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଚକ୍ରବୃଦ୍ଧି ସୁଧ ଛାଡ଼ ହେଲେ ସରକାରଙ୍କୁ ୬,୫୦୦ କୋଟି ଟଙ୍କାର ବୋଝ ପଡିବ ବୋଲି ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଥିଲେ। କୋଭିଡ୍‌-୧୯ ଯୋଗୁ ଲୋକମାନେ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ସାମ୍ନା କରୁଥିବା ସମସ୍ୟାକୁ ଧ୍ୟାନରେ ରଖି ସରକାର ମୋରାଟୋରିୟମ ସୁବିଧା ଘୋଷଣା କରିଥିଲେ। ଏହି ସମୟରେ ବ୍ୟାଙ୍କଗୁଡିକ ସୁଧ ଉପରେ ସୁଧ ଲାଗୁ କରିବା ଦେଖାଯାଇଥିଲା। ଏଭଳି ବିଭିନ୍ନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅନେକ ଆବେଦନ ହୋଇଛି। ଏହା ଉପରେ ସର୍ବୋଚ୍ଚ ଅଦାଲତ ଶୁଣାଣି ଜାରି ରଖିଛନ୍ତି। ୨ କୋଟି ଟଙ୍କାର କମ୍‌ ଋଣ ଉପରେ ଚକ୍ରବୃଦ୍ଧି ସୁଧ ଭାର ବହନ କରିବାକୁ ପ୍ରସ୍ତୁତ ଥିବା ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ମୋରାଟୋରିୟମ ସୁବିଧା ନ ନେଇଥିଲେ ମଧ୍ୟ ଏଭଳି ସୁବିଧା ଦେବାକୁ ସରକାର ସ୍ପଷ୍ଟ କରିଛନ୍ତି। ମାତ୍ର ଘରୋଇ ବ୍ୟାଙ୍କଗୁଡିକ ଏଭଳି ପଦକ୍ଷେପ ନେଲେ କେତେ ପରିମାଣର ଭାର ପଡିବ ସେ ନେଇ ସରକାର କିଛି ବି ସ୍ପଷ୍ଟ କରିନାହାନ୍ତି। ଏହାବାଦ୍‌ ସରକାର ଡେଭଲପମେଣ୍ଟ ଫାଇନାନ୍ସ କମିଶନ ଗଠନ ନେଇ ବର୍ତ୍ତମାନ ପ୍ରସ୍ତୁତି କରୁଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ଲାଗି ଶୀଘ୍ର ଆସିବ ବୋଲି ଜଣାପଡିଛି। ସେହିଭଳି ଋଣ ପୁନର୍ଗଠନ ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବୁଧବାର ସ୍ପଷ୍ଟୀକରଣ ଦିଆଯାଇଛି। ମାର୍ଚ୍ଚ ୧ ସୁଦ୍ଧା ଏନ୍‌ପିଏ ହୋଇ ନ ଥିବା ଆକାଉଣ୍ଟଗୁଡିକୁ ଋଣ ପୁନର୍ଗଠନ ସୁବିଧା ଦିଆଯିବ ବୋଲି ଏହା ସ୍ପଷ୍ଟ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel