Categories: ଫୁରସତ

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ‘ଜିରୋ ଉପତ୍ୟକା’

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜିରୋ ଉପତ୍ୟକା ହେଉଛି ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରକୃତିକୁ ଭଲ ପାଉଥିବା ତଥା ଫଟୋ ଉଠାଇବାକୁ ପସନ୍ଦ କରୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ କହିଲେ ଭୁଲ୍‌ ହେବ ନାହିଁ।

ଅରୁଣାଚଳ ପ୍ରଦେଶର ଲୋୟର୍‌ ସୁବାନସିରି ଜିଲାରେ ଅବସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଜିରୋ ଉପତ୍ୟକା। ଏହା ଏକ ସୁନ୍ଦର ତଥା ପୁରୁଣା ସହର ମଧ୍ୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ, ଦେଖିଲେ ନିମିଷକରେ କାହାର ବି ଆଖି ଲାଖିଯିବ। ଏହି ଅଞ୍ଚଳରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅପାତିନି ଜନଜାତି ହେଉଛନ୍ତି ଅନ୍ୟତମ।

ଭୌଗୋଳିକ ଅବସ୍ଥିତି
୫୫୩୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଉପତ୍ୟକାଟି ଅରୁଣାଚଳ ପ୍ରଦେଶର ଅନ୍ୟତମ ଲୋକପ୍ରିୟ ତଥା ପୁରୁଣା ସହର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି; ଯାହା ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରଠାରୁ ପ୍ରାୟ ୧୧୫ କି.ମି ଦୂରରେ ଅବସ୍ଥିତ।

ଅର୍ଥନୀତି
ଏଠାରେ ଧାନ ଓ ମାଛ ଚାଷ ଭଲ ହୋଇଥାଏ ବୋଲି ସୂଚନା ରହିଛି। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମୁଖ୍ୟତଃ ମାଛ ଚାଷ କରି ନିଜ ରୋଜଗାର ମେଣ୍ଟାଇଥାନ୍ତି। ବିଶେଷକରି ଅପାତିନି ଜନଜାତିର ଲୋକେ ଏଠାରେ ଧାନ ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇବାକୁ ପସନ୍ଦ କରିଥାନ୍ତି। ତା’ଛଡ଼ା ପର୍ଯ୍ୟଟନରୁ ବି ଏଠାରେ ଭଲ ରୋଜଗାର ହୋଇଥାଏ।

ପର୍ଯ୍ୟଟନ
ଜନଗହଳିପୂର୍ଣ୍ଣ ପରିବେଶରୁ ଦୂର ଏହି ସ୍ଥାନରେ ଶାନ୍ତିରେ କିଛି ମୁହୂର୍ତ୍ତ ବିତାଇବା ପାଇଁ ପ୍ରାୟତଃ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପ୍ରକୃତିର ଅପୂର୍ବ ଶୋଭା ସାଙ୍ଗକୁ ଧାନ ଓ ମାଛ ଚାଷ ଦେଖିବାର ମଜା ଏଠି ବେଶ୍‌ ନିଆରା ଲାଗିଥାଏ। ତା’ଛଡ଼ା ଏଠାକାର ପାହାଡ଼ି ଅଞ୍ଚଳରେ ଟ୍ରେକିଂ କରିବାରେ ବି ଥାଏ ଏକ ଅପୂର୍ବ ଆନନ୍ଦ। କେବଳ ସେତିକି ନୁହେଁ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ସମ୍ପ୍ରଦାୟମାନଙ୍କର ପର୍ବପର୍ବାଣୀ, ଖାଦ୍ୟପେୟ ତଥା ପୋଷାକ ଆଦି ବିଷୟରେ ଜାଣିବାର ଅନେକ ସୁଯୋଗ ବି ଏଠାରେ ମିଳିଥାଏ।

ଆଉ କ’ଣ ଦେଖିବେ
ଜିରୋ ଉପତ୍ୟକା ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀମାନ ରହିଛି। ଯେମିତିକି: ଟେଲି ବେଲି ବନ୍ୟପ୍ରାଣୀ ଅଭୟାରଣ୍ୟ, ତାରିନ୍‌ ଫିଶ୍‌ ଫାର୍ମ, ଟିପ୍ପି ଅର୍କିଡ୍‌ ରିସର୍ଚ୍ଚ ସେଣ୍ଟର, ଜିରୋ ପୁତୁ, ପାକୋ ଘାଟି, ତାଲେ ଭ୍ୟାଲି, ମେଘନା ଗୁମ୍ଫା ମନ୍ଦିର ଇତ୍ୟାଦି ପ୍ରମୁଖ। କେବଳ ଏତିକି ନୁହେଁ ଏଠାରେ ଥିବା ଛୋଟ ବଡ଼ ଆଧ୍ୟାତ୍ମିକ ପୀଠ ବି ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।

ଟ୍ରେକିଂର ମଜା ନିଆରା
ଏଠାରେ ଟ୍ରେକିଂ ସହିତ ଆଖପାଖ ଅଞ୍ଚଳରେ ଥିବା ଘଞ୍ଚ ଜଙ୍ଗଲିଆ ପରିବେଶରେ ଚାଲିଚାଲି ବୁଲିବାରେ ଥାଏ ନିଆରା ଆକର୍ଷଣ।

କେବେ ଓ କେମିତି ଯିବେ
ଜିରୋ ଉପତ୍ୟକାକୁ ଯିବାପାଇଁ ସଡ଼କପଥ , ରେଳପଥ ତଥା ଆକାଶପଥର ବେଶ୍‌ ଭଲ ସୁବିଧା ରହିଛି। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଆରାମରେ ଯାଇ ଏହି ଉପତ୍ୟକାରେ ପହଁଞ୍ଚତ୍ପାରିବେ। ତା’ଛଡ଼ା ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ରହିଛି। ତେବେ ଯଦି କୌଣସି ପର୍ଯ୍ୟଟକ ବର୍ଷାଦିନେ ଏଠାକୁ ବୁଲିଯିବା ପାଇଁ ପ୍ଲାନିଂ କରୁଥାନ୍ତି, ତା’ହେଲେ ତାଙ୍କୁ ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡିବ। କାରଣ ଏଠାରେ ଥିବା ପହାଡିଆ ଅଞ୍ଚଳରେ ବୁଲିଲା ବେଳେ ଅସାବଧାନତା ହେଲେ ଗୋଡ଼ ଖସିଯିବାର ସମ୍ଭବନା ରହିଥାଏ।

Share