Categories: ଜାତୀୟ

ତିସ୍ତା ସିତଲଭାଡ୍‌ଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୩ା୯(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଗତ ଜୁନ୍‌ ୨୫ରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସିତଲଭାଡ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗୁଜରାଟ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ପାସ୍‌ପୋର୍ଟ ତଳକୋର୍ଟରେ ସମର୍ପଣ କରିବାକୁ ପ୍ରଧାନ ବିଚାରପତି ୟୁ.ୟୁ.ଲଲିତ, ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମାଣ ଜାଲିଆତି କରି ନିରୀହ ଲୋକଙ୍କୁ ଦଙ୍ଗାରେ ଫସାଇବା ମାମଲାର ତଦନ୍ତରେ ସହାୟତା କରିବାକୁ ତାଙ୍କୁ କୁହାଯାଇଛି। ଆବେଦନକାରୀ ଜଣେ ମହିଳା ଓ ସେ ଦୁଇମାସ ହେଲା ଜେଲ୍‌ରେ ରହିଲେଣି। ତାଙ୍କ ଆବେଦନ ହାଇକୋର୍ଟରେ ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ବର୍ତ୍ତମାନ ସ୍ଥିତିରେ ସେ ଅନ୍ତରୀଣ ଜାମିନ ପାଇବାକୁ ହକ୍‌ଦାର ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଏହା ସାଧାରଣ ଆଇପିସି ଅପରାଧ ମାମଲା ହୋଇଥିବାରୁ ଜାମିନ ପ୍ରଦାନରେ ପ୍ରତିବନ୍ଧନ ରହିବ ନାହିଁ ବୋଲି ଗୁରୁବାର ମାମଲା ଶୁଣାଣି ବେଳେ ସିଜେଆଇ ଜଷ୍ଟିସ ଲଲିତ କହିଥିଲେ।

Share