ମେ’ ୧ ରୁ ୩ ମାସ ଭିତରକନିକା ବନ୍ଦ

ରାଜନଗର,୩୦।୪(ଡି.ଏନ.ଏ.): ସରୀସୃପଙ୍କ ନନ୍ଦନକାନନ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ପାଖେଇ ଆସୁଛି। ଏହାକୁ ଆଖି ଆଗରେ ରଖି ରାଜନଗର ବନବିଭାଗ ପକ୍ଷରୁ ମେ’ ୧ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ବନ୍ଦ ରଖାଯିବ। ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରଜନନ ଋତୁ ସମୟରେ ଉଭୟ ପୁରୁଷ ଓ ମାଆ କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି। ଏହି ସମୟ ଭିତରେ ମାଆ କୁମ୍ଭୀର ଅଣ୍ଡା ଦାନ ପ୍ରକ୍ରିୟା ଶେଷ କରିଥାନ୍ତି। ଉଭୟ ମାଆ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢେଇରୁ ୩ ଫୁଟ ଉଚ୍ଚ ତଥା ନଦୀ କୂଳଠାରୁ ଜୁଆର ଛୁଇଁ ପାରୁ ନ ଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି। ଏହି ବସାରେ ମାଆ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି। ଏହି ସମୟରେ କୁମ୍ଭୀର ହିଂସ୍ର ହୋଇଥାନ୍ତି। କୌଣସି ଅଘଟଣ ଘଟିଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଓ ପରିଭ୍ରମଣ ବନ୍ଦ ରଖାଯିବ ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ା

Share