ଭୁବନେଶ୍ୱର,୧।୭(ବ୍ୟୁରୋ): ଦୀର୍ଘଦିନ ଧରି ବସ୍ ସେବା ବନ୍ଦ ହେବା ପରେ ରାଜ୍ୟ ସରକାର ଜୁଲାଇ ପହିଲାରୁ ୨୦ଟି ଜିଲାରେ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ତେବେ ଅନ୍ୟ ୧୦ଟି ଜିଲାରେ ସଂକ୍ରମଣ ହାର ଅଧିକ ରହୁଥିବାରୁ ବସ ଚଳାଚଳକୁ ନିଷେଧ କରାଯାଇଛି। ସିଟ ଅନୁଯାୟୀ ଯାତ୍ରୀ ନେଇ ବସ୍ ଚାଲିବ। ତେବେ ସରକାରଙ୍କ ଏହି ଅନୁମତି ଘରୋଇ ବସ୍ ମାଲିକଙ୍କୁ କୌଣସି ଫାଇଦା ଦେବ ନାହିଁ। ଅଳ୍ପ କିଛି ବସ ଚଳାଚଳ କଲେ ମଧ୍ୟ ତାହା ଖର୍ଚ୍ଚ ଉଠାଇ ପାରିବ ନାହିଁ। ବିଶେଷ କରି କଟକ, ଭୁବନେଶ୍ୱର, ପୁରୀ ଆଦି ସ୍ଥାନକୁ ବହୁ ଲୋକ ଯିବା ଆସିବା କରି ଥାଆନ୍ତି। ଏହି ସବୁ ଅଞ୍ଚଳ କାଟେଗୋରୀ ‘ବି’ରେ ରହିଛି। ତେଣୁ ସରକାରଙ୍କ ଘୋଷଣା ସତ୍ତ୍ୱେ ବସ୍ ଚଳାଇବା ସମ୍ଭବ ହେବ ନାହିଁ। କୋଭିଡ୍ ସଂକ୍ରମଣ ପାଇଁ ଯାତ୍ରୀ ସଂଖ୍ୟା ହ୍ରାସ ପାଇବା ସହିତ ବସ ଚଳାଚଳରେ ଆନ୍ତଃଜିଲା କଟକଣା ସମସ୍ୟା ସୃଷ୍ଟି କରିବ। ଏନେଇ ସରକାର ବସ୍ ମାଲିକଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାଆନ୍ତା। ତୈଳ ଦର ବୃଦ୍ଧି ସହିତ ଯାତ୍ରୀ ସଂଖ୍ୟା ହ୍ରାସ ହେବା ସମ୍ଭାବନା ଥିବାରୁ ବସ୍ ଚଳାଇବା ସମ୍ଭବ ହେବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।