ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟର

କଟକ,୨୯ା୮(ସୁପ୍ରିୟା ପ୍ରିୟଦର୍ଶିନୀ):କେନ୍ଦୁଝର ହାଟଡିହି ବ୍ଲକର ଜଞ୍ଜଣା ଗ୍ରାମର ଝିଲି ବିରୂଆ। ପିଲାଟିବେଳୁ ପରିବାରର ଦୁଃଖ, କଷଣ ସହି ଆସୁଥିବା ଝିଲ୍ଲୀ ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଛନ୍ତି। ସେ ଇଂଲଣ୍ଡରୁ ଆଇବିଏସଏ ୱାଲର୍‌ଡ ଟୁର୍ଣ୍ଣମେଣ୍ଟର ଖେଳି ସୋମବାର ଭାରତ ଫେରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିୟନ ହୋଇଛି। ଅଲରାଉଣ୍ଡର ଭାବରେ ଝିଲି ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୧୨ରେ ଓଡିଶା ପାଇଁ ଖୋଳିବା ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି। ୨୦୨୨ ଜାତୀୟ ଟୁର୍ନାମେଣ୍ଟରେ ପ୍ରଦର୍ଶନ ଆଧାରରେ ୨୦୨୩ରେପ୍ରଥମ ଥର ଭାରତୀୟ ଦଳକୁ ଡାକରା ମିଳିଥିଲା।
ତେବେ ଦିନ ମଜୁରିଆରୁ ଜାତୀୟ ଦଳରେ ସ୍ଥାନ ପାଇବା ଯାତ୍ରା ଝିଲିଙ୍କ ପାଇଁ ସଂଘର୍ଷ ପୂର୍ଣ୍ଣଥିଲା। ବାପା-ମା’ ଛେଉଣ୍ଡ ଝିଲି ଜେଜେମା’ଙ୍କ ପାଖରେ ଲାଳନପାଳନ ହୋଇଛନ୍ତି। ବାପା ସୁଦର୍ଶନ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଥିଲା। ଝିଲ୍ଲୀଙ୍କ ଦୁଇ ଭାଇ ମଧ୍ୟ ମଜୁରିଆ ଭାବରେ କାମ କରୁଥିଲେ। ପିଲାଟି ବେଳୁ ଦୃଷ୍ଟିଶକ୍ତି କ୍ଷୀଣ ଥିବା ବେଳେ ଗାଁର ଜଣେ ଭାଇଙ୍କ ସହଯୋଗରେ ଭଦ୍ରକର ଏକ ଆବାସିକ ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରେ ହିଁ କ୍ରିକେଟ ଖେଳ ଆରମ୍ଭ କରିଥିଲେ ଝିଲି। ଏହା ପରେ ଭଦ୍ରକ ଜିଲା ପକ୍ଷରୁ ଖେଳିଥିଲେ। ୨୦୨୦ରେ କୋଭିଡ଼ ଯୋଗୁଁ ସ୍କୁଲ ଯିବା ବନ୍ଦ କରିଦେଲେ। ବାପାଙ୍କ ପରଲୋକ ପରେ ସମ୍ପର୍କୀୟ ଭଉଣୀଙ୍କ ସହ ଦିନ ମଜୁରିଆ ଭାବେ କାମ କରିବାକୁ ଖୋର୍ଦ୍ଧାକୁ ଯାଇଥିଲେ। ଦିନକୁ ୩୫୦ ଟଙ୍କା ମଜୁରୀରେ ଖଟିଥିଲେ। ହେଲେ ଗାଁରେ ଜେଜେମା’କୁ ଛାଡ଼ି ଯାଇଥିବାରୁ କିଛି ଦିନ ପରେ କେନ୍ଦୁଝରକୁ ସେ ଫେରି ଆସିଥିଲେ। ଦୁଇ ଭାଇ କାମରେ ଯାଉଥିବାରୁ ଜେଜେମା’ଙ୍କ ଦେଖାଶୁଣା କରିବା ଝିଲ୍ଲୀଙ୍କ ମୁଖ୍ୟ ଦାୟିତ୍ୱ ଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ଅନ୍ତର୍ଜାତୀୟ କ୍ରିକେଟର ମହମ୍ମଦ ଜାଫର ଇକବାଲଙ୍କ ସହ ସେ ଫୋନ ଯୋଗେ କଥା ହୋଇଥିଲେ। ଭୁବନେଶ୍ୱରରେ ହେଉଥିବା ରାଜ୍ୟ ମହିଳା ଦଳର ଚୟନ ଶିବିରରେ ପହଞ୍ଚିବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ।
ଜାଫର କୁହନ୍ତି, ଏତେ ଗରିବ ପରିବାରରୁ ଆସି ମଧ୍ୟ ସେ ତା ପ୍ରତିଭା ବଳରେ ସଫଳତା ପାଇ ପରିଛି ା ଓଡିଶାରେ ଖେଳାଳିଙ୍କ ଅଭାବ ନାହିଁ ା ଝିଲ୍ଲୀଙ୍କ ଭଳି ଅନେକ ଖେଳାଳି ରହିଛନ୍ତି। କିନ୍ତୁ ଏଠାରେ ଭିତ୍ତିଭୂମିର ଅଭାବ ରହିଛି। ଦୃଷ୍ଟିବାଧିତଙ୍କ ଅଭ୍ୟାସ ପାଇଁ ଖେଳପଡିଆ ନାହିଁ। ଯେଉଁଥିପାଇଁ ଅନେକ ଉଚ୍ଚକୋଟୀର ଖେଳାଳି ପଛରେ ରହିଯାଉଛନ୍ତି ା ହେଲେ ଝିଲ୍ଲୀଙ୍କୁ ଓଡିଶା ମାଇନିଂ କର୍ପୋରେସନ ଓ କ୍ରୀଡା ବିଭାଗ ସହୟତା ଯୋଗାଇଛି।