ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ

ମସ୍କୋ,୨୬।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି)ର ମୁଖ୍ୟ ବିଚାରପତି ପିଓଟର ହୋଫମାନସ୍କିଙ୍କୁ ଋଷିଆ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଛି। ଋଷିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଡାଟାବେସରେ ଅପଲୋଡ ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ହୋଫମାନସ୍କିଙ୍କୁ ଋଷିଆ ସଂଘର କ୍ରିମିନାଲ କୋଡ ଅନୁଯାୟୀ ଓ୍ବାଣ୍ଟେଡ ଲିଷ୍ଟରେ ରଖାଯାଇଛି। କିନ୍ତୁ ସେ କେଉଁ ଅଭିଯୋଗରରେ ଏହି ଲିଷ୍ଟରେ ରହିଛନ୍ତି ସେ ବିବରଣୀ ମନ୍ତ୍ରଣାଳୟ ଦ୍ୱାରା ଶେୟାର କରାଯାଇ ନାହିଁ।

ଚଳିତ ବର୍ଷ ମାର୍ଚ୍ଚରେ ନେଦରଲ୍ୟାଣ୍ଡର ହେଗରେ ଥିବା ଆଇସିସି ମୁଖ୍ୟାଳୟରେ ହୋଇଥିବା ଶୁଣାଣି ପରେ ପୁଟିନଙ୍କୁ ୟୁକ୍ରେନ ପିଲାମାନଙ୍କୁ ବେଆଇନ ଭାବେ ଦେଶରୁ ବିତାଡିତ କରିବା ଅଭିଯୋଗରେ କୋର୍ଟ ଗିରଫ ନିର୍ଦ୍ଦେଶ ଜାରି କରିଥିଲେ।

ଋଷିଆର ଆଇସିସିରେ ସଦସ୍ୟତା ନାହିଁ। କିନ୍ତୁ ପୁଟିନଙ୍କ ବିରୋଧରେ ଜାରି ୱାରେଣ୍ଟର କୌଣସି ଗୁରୁତ୍ୱ ନାହିଁ ବୋଲି ଋଷିଆ କୋର୍ଟରେ ବାରମ୍ବାର କହିଛି। ଆଇସିସି ସେପ୍ଟେମ୍ବରରେ ୟୁକ୍ରେନରେ ଏକ ଫିଲ୍ଡ ଅଫିସ ଖୋଲିଥିଲା ଯାହାଦ୍ୱାରା ପାଶ୍ଚାତ୍ୟ ସମର୍ଥିତ ଦେଶରେ ମସ୍କୋର ଆକ୍ରମଣ ପାଇଁ ଋଷିଆ ସୈନିକଙ୍କୁ ଉତ୍ତରଦାୟୀ କରାଯାଇପାରିବ। ୟୁକ୍ରେନରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଏବଂ ନିର୍ଯାତନା ଦେଉଥିବା ଅଭିଯୋଗକୁ ଋଷିଆ ଅସ୍ବୀକାର କରିଛି। ଆଇସିସି ଶୁଣାଣିରେ ଋଷିଆକୁ ଏହି ଅଭିଯୋଗର ଜବାବ ଦେବାକୁ ସୁଯୋଗ ଦିଆଯାଇଥିଲା। ଶୁଣାଣି ସମୟରେ ି ଋଷିଆର କୌଣସି ପ୍ରତିନିଧି ଅଂଶଗ୍ରହଣ କରି ନ ଥିଲେ।

Share