ଓଡ଼ିଆ ଯୁବ ବୈଜ୍ଞାନିକଙ୍କୁ ଅନ୍ତର୍ଜାତୀୟ ଗୋର୍ଡନ ବେଲ୍‌ ପୁରସ୍କାର

ଭୁବନେଶ୍ୱର,୧୮ା୧୧(ଅନୁରାଧା ମହାରଣା): ଆମେରିକାର ଡେନ୍‌ଭରଠାରେ ଆୟୋଜିତ ଏସ୍‌ସି୨୩ ଅନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଆ ଯୁବ ବୈଜ୍ଞାନିକ ଗୌରବ ପାଣିଗ୍ରାହୀଙ୍କୁ ‘ଗୋର୍ଡନ ବେଲ୍‌ ପୁରସ୍କାର’ ପ୍ରଦାନ କରାଯାଇଛି। ତାଙ୍କର ପ୍ରକଳ୍ପ ‘ଲାର୍ଜ ସ୍କେଲ୍‌ ମ୍ୟାଟେରିଆଲସ୍‌ ମଡେଲିଂ ଆଟ୍‌ କ୍ୱାଣ୍ଟମ୍‌ ଆକ୍ୟୁରାସି:
ଏବି ଇନିସିଓ ସିମୁଲେସନ୍ସ ଅଫ୍‌ କ୍ୱାସିକ୍ରିଷ୍ଟାଲସ୍‌ ଆଣ୍ଡ୍‌ ଇନ୍‌ଣ୍ଟରାକ୍ଟିଙ୍ଗ ଏକ୍ସଟେଣ୍ଡେଡ୍‌ ଡିଫେକ୍ଟସ୍‌ ଅଫ୍‌ ମେଟାଲିକ୍‌ ଆଲଏସ୍‌’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପରେ ସାମିଲ ଥିବା ଆମେରିକୀୟ ଓ ଭାରତୀୟ ଅନୁଷ୍ଠାନର ୮ଜଣିଆ ଦଳ ମଧ୍ୟରେ ଗୌରବ ସାମିଲ ଅଛନ୍ତି। ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌ସି)ରେ ପିଏଚ୍‌ଡି ଛାତ୍ରଭାବେ ଗବେଷଣାରତ। ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ‘ଗୋର୍ଡନ ବେଲ୍‌ ପୁରସ୍କାର’ ପ୍ରଦାନ କରାଯାଏ। ତେବେ ଏହି ଅନ୍ତର୍ଜାତୀୟ ପୁରସ୍କାର ପାଇବାରେ ଗୌରବ ଅର୍ଜନ
କରିଥିବା ଓଡ଼ିଶାର ଗୌରବ ହେଉଛନ୍ତ ଲିଙ୍ଗରାଜ ପାଣିଗ୍ରାହୀ ଓ ପ୍ରବୀଣା ପଣ୍ଡାଙ୍କ ପୁତ୍ର। ସେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲର ପୂର୍ବତନ ଛାତ୍ର। ସେ ବେଙ୍ଗାଲୁରୁସ୍ଥିତ ଆଇଆଇଏସ୍‌ସିରୁ ପଦାର୍ଥ ବିଜ୍ଞାନରେ ବିଏସ୍‌ସି(ଗବେଷଣା) ଓ ଏମଏସ୍‌ ଡିଗ୍ରୀ ହାସଲ କରିଛନ୍ତି। ସେ ୨୦୧୪ରେ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିଓ୍ବାଇ) ଫେଲୋସିପ ଏବଂ ୨୦୨୧ରେ ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ହାସଲ କରିଛନ୍ତି। ବହୁ ବର୍ଷର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ଗୌରବ ଏହି ସଫଳତା ହାସଲ କରିପାରିଥିବା କହିଛନ୍ତି।

Share