Categories: ଖେଳ

ସୋଆରେ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ଉତ୍ସବ

ଭୁବନେଶ୍‌ର, ୨୧।୧୨ (ତପନ ସ୍ବାଇଁ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ଜାନୁୟାରୀ ୨୮ରୁ ଫେବୃୟାରୀ ୪ ପର୍ଯ୍ୟନ୍ତ ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଟେସ୍‌ ଉତ୍ସବ ଅନୁଷ୍ଠିତ ହେବ। ସୋଆ, ଅନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌ (ଆଇସିଏଫ୍‌), ଅଲ୍‌ ଇଣ୍ଡିଆ ଚେସ୍‌ ଫେଡେରେଶନ (ଏଆଇସିଏଫ୍‌), ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ୍‌ (ଏଓସିଏ) ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଏହି ମେଗା ପ୍ରତିଯୋଗିତା ପାଇଁ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଏହି ୮ ଦିନିଆ ଟୁର୍ନାମେଣ୍ଟରେ ପାଖାପାଖି ୨୦ଟି ଦେଶରୁ ପ୍ରାୟ ୧୫୦୦ ଖେଳାଳି ଯୋଗ ଦେବା ସମ୍ଭାବନା ଅଛି ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱ୍‌ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ନନ୍ଦ ସୂଚନା ଦେଇଛନ୍ତି।
୨୦୦୮ରେ ତୁର୍କୀରେ ଆୟୋଜିତ ଜୁନିୟର ୱାଲର୍‌ଡ ଚେସ୍‌ ଚାମ୍ପିୟନଶିପ୍‌ର ବିଜେତା ଗ୍ରାଣ୍ଡମାଷ୍ଟର ଅଭିଳିତ ଗୁପ୍ତା (୨୫୯୬ ରେଟିଂ) ଏ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାର ଟପ୍‌ ସିଡ୍‌ ଖେଳାଳି ବିବେଚିତ ହେଉଛନ୍ତି। ଡେନ୍‌ମାର୍କ, ନେଦରଲାଣ୍ଡ୍ସ, ଇରାନ୍‌, ଶ୍ରୀଲଙ୍କା, ଭିଏଟ୍‌ନାମ, ଆର୍ମେନିଆ, ବେଲାରୁଷ, ଇଜିପ୍ଟ, ଫିଲିପାଇନ୍ସ, ରୁଷିଆ, ତୁର୍କମେନିସ୍ତାନ, ଉଜ୍‌ବେକିସ୍ତାନ, ସ୍ଲୋଭାକିଆ, କିମ୍ବାୱେ ଓ ଭାରତର ଚେସ୍‌ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ସମ୍ମତି ପ୍ରଦାନ କରିସାରିଛନ୍ତି। ୩ ବର୍ଗରେ ପ୍ରତିଯୋଗିତା ହେବ। କାଟେଗୋରି-ଏ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି। କାଟେଗୋରି ‘ବି’ ଓ ‘ସି’ ପାଇଁ ୭.୫ ଲକ୍ଷ ଟଙ୍କା ମୋଟ ପୁରସ୍କାର ରାଶି ରଖାଯାଇଛି।
ଏ ଓ ବି’ ବର୍ଗର ପ୍ରତିଯୋଗିତା ୧୦ ରାଉଣ୍ଡ, ସି’ ବର୍ଗରେ ୯ ରାଉଣ୍ଡ ଖେଳ ହେବ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଉପସଭାପତି ବସନ୍ତ କୁମାର ଦାସ, ସମ୍ପାଦକ ଦେବବ୍ରତ ଭଟ୍ଟ ଓ ସୋଆର ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ।

Share