Categories: ଖେଳ

ଜିଏମ୍‌ ଜୟସନ୍‌ଙ୍କୁ ହରାଇଲେ ପ୍ରିଅଂଶ

ଭୁବନେଶ୍ୱର, ୩୧।୧(ତପନ ସ୍ବାଇଁ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅନ୍ତର୍ଜାତୀୟ ଗ୍ରାଣ୍ଡମାଷ୍ଟର୍ସ ଚେସ୍‌ ଫେଷ୍ଟିଭାଲର ଚତୁର୍ଥ ରାଉଣ୍ଡ ଖେଳ ମଙ୍ଗଳବାର ଶେଷ ହୋଇଛି। ଓଡ଼ିଆ ଖେଳାଳି ପ୍ରିଅଂଶ ଦାସ ଚମତ୍କାର ଖେଳ ପ୍ରଦର୍ଶନ କରି ୯୫ତମ ଚାଲ୍‌ରେ ଫିଲିପାଇନ୍ସ ଗ୍ରାଣ୍ଡମାଷ୍ଟର ଗୋଞ୍ଜାଲେଜ ଜୟସନଙ୍କୁ ପରାସ୍ତ କରି ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ସେହିପରି ଅନ୍ତର୍ଜାତୀୟ ମାଷ୍ଟର ସମ୍ବିତ ପଣ୍ଡା ପ୍ରତିପକ୍ଷ ଶ୍ରାୟନ ମଜୁମଦାରଙ୍କୁ ପରାସ୍ତ କରିଛନ୍ତି। ନିଲସୁ ପଟ୍ଟନାୟକ ଗ୍ରାଣ୍ଡମାଷ୍ଟର ସାୟନ୍ତନ ଦାସଙ୍କଠାରୁ ହାରିଥିବାବେଳେ ମହିଳା ଅନ୍ତର୍ଜାତୀୟ ମାଷ୍ଟର ସାଇନା ସାଲୋନିକା ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳି ଶ୍ରୀଲଙ୍କାର ଆଇଏମ୍‌ ଲିଆଙ୍ଗେ ରାନିଣ୍ଡୁ ଦିଲସାନଙ୍କ ସହ ଏବଂ ଆଇଏମ୍‌ ସିଦ୍ଧାନ୍ତ ମହାପାତ୍ର ପ୍ରତିଦ୍ୱନ୍ଦ୍ୱୀ ନିତିନ ବାବୁଙ୍କ ସହ ମ୍ୟାଚ ଡ୍ର ରଖିଛନ୍ତି।
ପ୍ରଥମ ବୋର୍ଡରେ ଫିଡେ ମାଷ୍ଟର କେରଳର ଗୌତମ କ୍ରିଷ୍ଣା ଇରାନର ଅନ୍ତର୍ଜାତୀୟ ମାଷ୍ଟର ତହବାଜ ଆର୍‌ଶଙ୍କ ସହ ବାଜି ଡ୍ର ରଖିଛନ୍ତି। ସେହିପରି ତେଲେଙ୍ଗାନାର ବିଗ୍ନେଶ ଭେମୁଲା-ଆଇଏମ୍‌ ଅଡି ଅମେୟ, ଭିଏତନାମ ଗ୍ରାଣ୍ଡମାଷ୍ଟର ନଗୁଏନ ଭାନ୍‌ ହୁଇ-ଗ୍ରାଣ୍ଡମାଷ୍ଟର ଦୀପ୍ତାୟନ ଘୋଷ, ଇଜିପ୍ଟ ଜିଏମ୍‌ ଫଜି ଆଧାମ-ଆଇଏମ୍‌ ରାଜେଶ ଭି.ଏ.ଭି.ଙ୍କ ମ୍ୟାଚ ମଧ୍ୟ ଡ୍ର ରହିଛି। ତେବେ ଫିଲିପାଇନ୍ସର ଆକ୍ୱିନୋ ଜେଥ୍ରୋ ଡିନୋ ବିପକ୍ଷ ଖେଳାଳି କୌସ୍ତୁଭ କୁଣ୍ଡୁଙ୍କୁ ହରାଇ ଦେଇଛନ୍ତି। ୪ ରାଉଣ୍ଡ ଶେଷରେ କେରଳ ଫିଡେମାଷ୍ଟର ଗୌତମ କ୍ରିଷ୍ଣା, ଜମ୍ମୁ-କଶ୍ମୀରର ସୋହମ କମୋତ୍ରା, ତେଲେଙ୍ଗାନାର ବିଗ୍ନେଶ ଭେମୁଲା, ପଶ୍ଚିମବଙ୍ଗର ଶୁଭାୟନ କୁଣ୍ଡୁ, ଇରାନ ଆଇଏମ୍‌ ତହବାଜ ଅରଶ, ଗୋଆ ଆଇଏମ୍‌ ଅଡି ଅମେୟ ଓ ମଧ୍ୟ ପ୍ରଦେଶ ଫିଡେମାଷ୍ଟର ଆୟୂଷ ଶର୍ମା ପ୍ରମୁଖ ୩.୫ ପଏଣ୍ଟ ଲେଖାଏ ପାଇ ମିଳିତଭାବେ ଅଗ୍ରଣୀ ହାସଲ କରିଛନ୍ତି।

Share