
କୁଆଲାଲମ୍ପୁର: ମାଲେସିଆରେ ରହୁଥିବା ଭାରତୀୟ ବଂଶୋଭବ ମହିଳା ରଚେଲ କୌର ପ୍ରାୟ ବର୍ଷେ ଧରି ନିଜ ଘରୁ କର୍ମସ୍ଥଳକୁ ଯିବା ପାଇଁ ଦୈନିକ ୭୦୦ କି.ମି. ବିମାନ ଯାତ୍ରା କରୁଛନ୍ତି। ପରିବାର ଏବଂ ୨ ପିଲାଙ୍କୁ ସମୟ ଦେବା ପାଇଁ ରଚେଲ ପ୍ରତି ସପ୍ତାହରେ ୱିକ୍ଏଣ୍ଡ୍ ଛୁଟି ବ୍ୟତୀତ ପ୍ରତି ୫ ଦିନ ବିମାନରେ ନିଜ ଘରୁ ଅଫିସ୍କୁ ଏବଂ ଅଫିସ୍ରୁ ଘରକୁ ଯିବାଆସିବା କରିଥାନ୍ତି।
ଏୟାରଲାଇନ୍ସ କମ୍ପାନୀ ‘ଏୟାର ଏସିଆ’ର କୁଆଲାଲମ୍ପୁର ସ୍ଥିତ ମୁଖ୍ୟାଳୟରେ ଫାଇନ୍ସାସିଆଲ ଅପରେଶନ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତେବେ ତାଙ୍କ ଘର କୁଆଲାଲମ୍ପୁରଠାରୁ ୩୫୦ କି.ମି. ଦୂର ମାଲେସିଆର ପେନାଙ୍ଗ ରାଜ୍ୟରେ ରହିଛି, ଯେଉଁଠାରେ ତାଙ୍କ ସ୍ବାମୀ ଏବଂ ୧୧ ଓ ୧୨ ବର୍ଷ ବୟସର ୨ ପିଲା ରୁହନ୍ତି। ପୂର୍ବରୁ ସେ ଅଫିସ ନିକଟସ୍ଥ ଏକ ଭଡ଼ା ଘରେ ରହୁଥିଲେ। ସେତେବେଳେ ସେ ସପ୍ତାହକୁ ମାତ୍ର ଥରେ ନିଜ ପରିବାରକୁ ଭେଟିବା ପାଇଁ ଆସି ପାରୁଥିଲେ। ତେବେ ପିଲାଙ୍କଠାରୁ ଦୂରରେ ରହିବା ତାଙ୍କୁ ଆତ୍ମସନ୍ତୋଷ ଦେଉ ନ ଥିଲା। ସେତେବେଳେ ତାଙ୍କୁ ନିଜ କର୍ମମୟ ଜୀବନ ଏବଂ ପାରିବାରିକ ଜୀବନ ମଧ୍ୟରେ ସମନ୍ବୟ ଆଣିବା କଷ୍ଟକର ହୋଇ ପଡ଼ୁଥିବା ରଚେଲ କହିଛନ୍ତି। ତେଣୁ ସେ ୨୦୨୪ରେ ନିଜ ଜୀବନର ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ପ୍ରତିଦିନ ବିମାନ ଯୋଗେ ପେନାଙ୍ଗରୁ କୁଆଲାଲୁମ୍ପୁର ସ୍ଥିତ ନିଜ ଅଫିସ୍କୁ ଯାତ୍ରା କରିବେ ବୋଲି ରଚେଲ ସ୍ଥିର କରିଥିଲେ।
ନିଜ ଦୈନିକ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦେଇ କହିଛନ୍ତି, ସେ ଭୋର୍ ୪ଟାରେ ଉଠନ୍ତି। ୫ଟା ସୁଦ୍ଧା ସେ ଅଫିସ୍ ଯିବା ପାଇଁ ଘରୁ ବାହାରି ଯାଆନ୍ତି। ଏହାପରେ ସେ କାର୍ ଡ୍ରାଇଭ କରି ପେନାଙ୍ଗ ଏୟାରପୋର୍ଟକୁ ଯାଆନ୍ତି। ପେନାଙ୍ଗରୁ କୁଆଲାଲମ୍ପୁର ଯାଉଥିବା ବିମାନ ସକାଳ ୬.୩୦ରେ ବାହାରିଥାଏ। ସକାଳ ୭ଟା ୪୫ ସୁଦ୍ଧା ସେ ତାଙ୍କ ଅଫିସରେ ପହଞ୍ଚିଯାନ୍ତି। ସେଠାରେ ନିଜ ଶିଫ୍ଟ ଶେଷ କରି ରାତି ୭.୩୦ ସୁଦ୍ଧା ଘରକୁ ଫେରି ଆସନ୍ତି ବୋଲି ସେ କହିଛନ୍ତି। ତେବେ ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, ତାଙ୍କର ମାସିକ ୧୪ରୁ ୧୫ ହଜାର ଟଙ୍କା ସଞ୍ଚୟ ହେଉଥିବା ରଚେଲ କହିଛନ୍ତି। ପୂର୍ବରୁ ଘର ଭଡ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ତାଙ୍କର ମାସିକ ୪୭୪ ଡ଼ଲାର (ପ୍ରାୟ ୪୧ ହଜାର ଟଙ୍କା) ଖର୍ଚ୍ଚ ହେଉଥିବାବେଳେ ଏବେ ବିମାନରେ ଯିବା ଆସିବା ପାଇଁ ତାଙ୍କର ମାସିକ ୩୧୬ ଡଲାର (ପ୍ରାୟ ୨୭ ହଜାର ଟଙ୍କା) ଖର୍ଚ୍ଚ ହେଉଛି। ତେବେ ପ୍ରତିଦିନ ଭୋର୍ ୪ଟାରେ ଉଠୁଥିବାରୁ ଅନେକ ସମୟରେ ତାଙ୍କୁ ଥକ୍କାପଣ ଅନୁଭବ ହୋଇଥାଏ। ହେଲେ ରାତିରେ ଘରକୁ ଫେରି ପିଲାଙ୍କୁ ଦେଖିଦେବା ପରେ ସବୁ ଥକ୍କାପଣ ଦୂର ହୋଇଯାଏ ବୋଲି ରଚେଲ କହିଛନ୍ତି। ପିଲାଙ୍କ ଯତ୍ନ ନେବା ପାଇଁ ରଚେଲ ଦୈନିକ ୭୦୦ କି.ମି. ଯାତ୍ରା କରୁଥିବାରୁ କେତେକ ସ୍ଥାନୀୟ ଗଣମାଧ୍ୟମ ତାଙ୍କୁ ମାଲେସିଆର ସୁପର ମମ୍ ଭାବେ ଅଭିହିତ କରିଛନ୍ତି।