Categories: ବାଣିଜ୍ୟ

ଜେଏସ୍‌ଏଲ୍‌କୁ ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର

ଭୁବନେଶ୍ୱର,୩।୬ (ଅଭୟ ଦାଶ)ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ‘ଅନ୍ତର୍ଜାତୀୟ ସୁରକ୍ଷା ପୁରସ୍କାର’ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ବ୍ରିଟିଶ ସେଫ୍ଟି କାଉନସିଲ୍‌ ପକ୍ଷରୁ ଜେଏସ୍‌ଏଲ୍‌କୁ କ୍ରମାଗତ ୫ମ ବର୍ଷ ପାଇଁ ‘ମେରିଟ୍‌’ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି କମ୍ପାନୀର ଯାଜପୁର ଓ ହିସାର ଉତ୍ପାଦନ (ପ୍ଲାଣ୍ଟ) କେନ୍ଦ୍ର ପରିସରରେ ନିଆଯାଇଥିବା ସୁରକ୍ଷା ପଦକ୍ଷେପ ପାଇଁ ଜେଏସ୍‌ଏଲ୍‌କୁ ଏହି ସମ୍ମାନ ମିଳିଛି। ସେହିଭଳି ମୁମ୍ବାଇଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ କମ୍ପାନୀର ହରିୟାଣାସ୍ଥିତ ହିିସାର ୟୁନିଟର ୟୁନିଟ ହେଡ ତଥା ବରିଷ୍ଠ ଉପାଧ୍ୟକ୍ଷ ବିଜୟ କୁମାର ବିନ୍ଦଲିଶ, ହିସାର ୟୁନିଟର ଭାଇସ ପ୍ରେସିଡେଣ୍ଟ ଦୀପକ ଜୈନ, ହିସାର ୟୁନିଟର ପରିବେଶ, ସ୍ବାସ୍ଥ୍ୟ ଓ ସୁରକ୍ଷା ମୁଖ୍ୟ ସୁଧୀର କୁମାରଙ୍କ ସମେତ ଓଡ଼ିଶାସ୍ଥିତ ଯାଜପୁର ୟୁନିଟର ଅଗ୍ନି ଓ ସୁରକ୍ଷା ମୁଖ୍ୟ ମନୋଜ ବଳ ପ୍ରମୁଖ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆମେ କ୍ରମାଗତ ଭାବେ ୫ମ ଥର ଲାଗି ଏହି ପୁରସ୍କାର ଜିତି ବେଶ୍‌ ଉତ୍ସାହିତ ଅଛୁ। ଏପରିକି କମ୍ପାନୀର କର୍ମଚାରୀଙ୍କ ସୁରକ୍ଷା ପ୍ରତି ଥିବା ନିରନ୍ତର ସମର୍ପଣକୁ ଏହା ପ୍ରତିଫଳିତ କରୁଛି, ଯାହା କେବଳ ପ୍ରୋଟୋକଲ୍‌ ପାଳନ କରିବା ମନୋଭାବରୁ ଊଦ୍ଧର୍‌ବରେ ରହିଛି।

Share