ଏନ୍‌ଆର୍‌ଆର୍‌ଆଇରେ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଉଦ୍‌ଘାଟିତ: ‘ଜଳବାୟୁ ପରିବର୍ତ୍ତନରେ ଧାନ ଉତ୍ପାଦନ ବୃଦ୍ଧି ପ୍ରମୁଖ ଆହ୍ବାନ’

କଟକ,୧୯ା୧ (କାର୍ତ୍ତିକ ସାହୁ): କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ ଖାଦ୍ୟ ଉପଲବ୍ଧ କରାଇବା ଜରୁରି ହୋଇଛି। କୃଷକମାନଙ୍କ ପାଇଁ ଜୀବିକା ଯୋଗାଇବା ନିମନ୍ତେ ଭଲ ଫସଲ ଅମଳର ଆବଶ୍ୟକତା ରହିଛି। ସଂପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପତ୍ନ୍ନ ହେଉଥିବା ପରିବେଶଜନିତ ସମସ୍ୟାଗୁଡିକର ସମାଧାନ ସହ ଧାନ ଉତ୍ପାଦନ ବୃଦ୍ଧି ବୈଜ୍ଞାନିକମାନଙ୍କ ପାଇଁ ପ୍ରମୁଖ ଆହ୍ବାନ ହୋଇଛି। କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଫସଲ ବିଜ୍ଞାନ ବିଭାଗର ଉପ ମହାନିର୍ଦ୍ଦେଶକ ଡ. ତିଲକ ରାଜ ଶର୍ମା ଉଦ୍‌ଘାଟନ କରି ଏହି ମତବ୍ୟକ୍ତ କରିଛନ୍ତି।
ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ) ଓ କୃଷି ଅନୁସନ୍ଧାନ ପରିଚାଳନା ସମାଜ (ଏସ୍‌ଏଆର୍‌ଏମ୍‌)ର ମିଳିତ ସହଯୋଗରେ ଶୁକ୍ରବାରଠାରୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ସ୍ଥାୟୀ କୃଷି ପଦ୍ଧତି ମାଧ୍ୟମରେ ଆର୍ଥିକ ବିକାଶ ଶୀର୍ଷକରେ ଷଷ୍ଠ ଆନ୍ତର୍ଜାତିକ ବୈଜ୍ଞାନିକ ସମ୍ମିଳନୀ ଆଗ୍ରିଭିଜନ୍‌-୨୦୨୪ ଆରମ୍ଭ ହୋଇଛି। ବିଶିଷ୍ଟ ଅତିଥି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ପ୍ରଫେସର ଡ. ରବିନାରାୟଣ ଆଚାର୍ଯ୍ୟ ଔଷଧୀୟ ବୃକ୍ଷଲତାର ବହୁତ ଚାହିଦା ରହିଛି ଓ କୃଷକମାନେ ଏ ଉପରେ ବି ଧ୍ୟାନ ଦେଇପାରିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ, କୃଷି କହିଲେ ଧାନ ଓ ଧାନ କହିଲେ କୃଷିକୁ ବୁଝାଏ। କୃଷକମାନେ ଗୋଷ୍ଠୀଗତ ଭାବେ ଚାଷକାର୍ଯ୍ୟ କଲେ ଅଧିକ ସୁଫଳ ମିଳିପାରିବ। ଏନ୍‌ଆର୍‌ଆର୍‌ଆଇର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ଅଧ୍ୟକ୍ଷତା କରି କହିଲେ, ଜଳବାୟୁ ପ୍ରତିରୋଧକ, ବାୟୋଫର୍ଟିିଫାଏଡ୍‌ ଓ ହର୍ବିସାଇଡ୍‌ ପ୍ରତିରୋଧକ କିସମ ସହ ୧୭୯ଟି ଅଧିକ ଅମଳକ୍ଷମ ଧାନ ଏଠାକାର ବୈଜ୍ଞାନିକମାନେ ବିକଶିତ କରିପାରିଛନ୍ତି। ସ୍ଥାୟୀ କୃଷି ପ୍ରଥାକୁ ପ୍ରୋତ୍ସାହିତ କରିବା, ମିଥେନ୍‌ ଓ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଓ ଜଳବାୟୁ ସ୍ମାର୍ଟ କୃଷିକୁ ସୁହାଇବା ନିମନ୍ତେ ଏବେ ଗବେଷଣା ଅବିରତ ଜାରି ରହିଛି।
ମୁଖ୍ୟ ଅତିଥି ଡ. ଶର୍ମା ଏନ୍‌ଆର୍‌ଆର୍‌ଆଇ ପରିସରରେ ନୂତନ ଜୈବ-ସାର ୟୁନିଟ୍‌, ପକ୍ଷୀ-ପଶୁ ଜୈବ ବିବିଧତା ୟୁନିଟ୍‌ ଓ କାଫେଟେରୀଆର ଉଦ୍‌ଘାଟନ କରିଥିଲେ। ଡ. ଶର୍ମା ଫାର୍ମପ୍ଲଟ୍‌ ଏବଂ ଜିନୋମିକ୍ସ ଗବେଷଣାଗାର ପରିଦର୍ଶନ କରିବା ସହ ପ୍ରକାଶନ, ପେଟେଣ୍ଟ, ପ୍ରକ୍ରିୟା ଏବଂ ସହଭାଗୀତା ଉପରେ ଗୁୁରୁତ୍ୱାରୋପ କରିଥିଲେ। ଭାରତ ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ବୈଜ୍ଞାନିକ, ଗବେଷକ, ଛାତ୍ରୀଛାତ୍ରମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି। ତିନିଦିନିଆ ସମ୍ମିଳନୀରେ ସେମିନାର ଆଲୋଚନା, ବୈଜ୍ଞାନିକ ଅଧିବେଶନ, ପ୍ୟାନେଲ୍‌ ଆଲୋଚନା, କର୍ମଶାଳା, ବକ୍ତୃତା, ମୌଖିକ ଏବଂ ପୋଷ୍ଟର ଉପସ୍ଥାପନା, କୃଷକ ସମ୍ପର୍କ, ପ୍ରଦର୍ଶନୀ ଇତ୍ୟାଦିର ଆୟୋଜନ କରାଯାଇଛି। ଏହି ଅବସରରେ ଡ. ଅମରେଶ କୁମାର ନାୟକ, ପ୍ରଫେସର ଚିତ୍ତରଞ୍ଜନ କୋଲେ, ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସମେତ ସୁପ୍ରଖ୍ୟାତ ବୈଜ୍ଞାନିକମାନଙ୍କୁ ଏସ.ଏ.ଆର.ଏମ ସଂସ୍ଥା ଦ୍ୱାରା ଆଜୀବନ ସିଦ୍ଧି ସମ୍ମାନରେ ସମ୍ମାନିତ କରାଯାଇଛି।
ସମ୍ମିଳନୀର ଆବାହକ ଡ. ଏମ୍‌. ଜେ. ବେଗ୍‌ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିବ୍ୟାଂଶୁ ଦାସ ଧନ୍ୟବାଦ ଦେଇଥିଲେ।