Advertisement

ଜାଣନ୍ତୁ ମହିଳା ଦିବସର ତାତ୍ପର୍ଯ୍ୟ

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଏଡିଜେ କୋର୍ଟ ପରିସରସ୍ଥ ବାର ଆସୋସିଏଶନ ଲାଇବ୍ରେରି ହଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାଜଜ୍‌ ଦେବଦତ୍ତ ପଟ୍ଟନାୟକ ଯୋଗଦେଇ ସମାଜରେ ମହିଳାଙ୍କ ଆଇନଗତ ଅଧିକାର ଉପରେ ମତବ୍ୟକ୍ତ କରିଥିଲେ।

ଏଥିସହ ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ନିରୋଧ ଆଇନ, ନୂତନ ଭାରତୀୟ ନ୍ୟାୟ ସଂହିତାରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ଉପରେ ଏଡିଜେ ପଟ୍ଟନାୟକ କହିଥିଲେ। ବରିଷ୍ଠ ଦଓ୍ବୋନି ଜଜ୍‌ ଦେବାଶିଷ ବିଷୋୟୀ ଶିଶୁକନ୍ୟାଙ୍କୁ ଦିଆଯାଉଥିବା ଯୌନ ନିର୍ଯାତନା ଓ ଏହାର ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ।

ଏସ୍‌ଡିଜେଏମ୍‌ ସୌମ୍ୟ ରଞ୍ଜନ ପୃଷ୍ଟି ବେଆଇନ ଲିଙ୍ଗ ନିରୂପଣ, ଭ୍ରୁଣ ହତ୍ୟା ଓ ଏ ସଂକ୍ରାନ୍ତରେ ରହିଥିବା ଆଇନଗତ ଦିଗ ସମ୍ପର୍କରେ କହିଥିଲେ। ଜେଏମ୍‌ଏଫସି ଭିଏନା ନାୟକ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଘରୋଇ ହିଂସା ଆଇନ ସମ୍ପର୍କରେ ବୁଝାଇଥିଲେ। ସହାୟକ ଜିଲାପାଳ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ, ତାଲୁକ ଆଇନ ସେବା କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ରବି ଦାସ ପ୍ରମୁଖ ଅନ୍ତର୍ଜାତୀୟ ମହିଳା ଦିବସର ତାତ୍ପର୍ଯ୍ୟ ଉପରେ ମତ ରଖିବା ସହ ସମାଜରେ ମହିଳା ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ତା’ର ପ୍ରତିକାର ସମ୍ପର୍କରେ ମତ ଦେଇଥିଲେ। ତାଲୁକ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଦିତ୍ୟ ନାରାୟଣ ରଥ ଏହାର ପରିଚାଳନା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share