Advertisement

ଦାରିଙ୍ଗବାଡ଼ିରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦାରିଙ୍ଗବାଡି, ୮।୩ (ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସାରିଙ୍ଗିଇର୍ପି ପଡିଆଠାରେ ବୁଧବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ବ୍ଲକର ୨୫ ପଞ୍ଚାୟତରୁ ଶତାଧିକ ମହିଳା ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡି ନାରୀ ମହାସଙ୍ଘ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଆୟୋଜନ କରାଯାଇଥିଲା। ବୁଧବାର ହୋଲି ପର୍ବ ରହିଥିଲେ ସୁଦ୍ଧା ମହିଳାମାନେ ଅପରାହ୍ନ ୧ଟା ସମୟରେ ଏକତ୍ରିତ ହୋଇଥିଲେ। ଏହି ଅବସରରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ ସ୍ବାଗତ ଭାଷଣ ଦେଇଥିଲେ। ନାରୀ ମହାସଙ୍ଘର ସଭାନେତ୍ରୀ ଲୁସିମା ପ୍ରଧାନ ଅଧ୍ୟକ୍ଷତା ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିଲେ। ଏଥିସହ ଜାତୀୟ ମହିଳା ମଞ୍ଚର ସଭାନେତ୍ରୀ ପ୍ରମିଳା ସ୍ବାଇଁ, ଉପସଭାନେତ୍ରୀ ଜନିରୀ ପ୍ରଧାନ, ସୁଶୀଳା ନାୟକ, ବାସ୍ତିନା ନାୟକ ଏବଂ ଜାଗୃତିର ସଦସ୍ୟ ଜ୍ୟୋତିରାଜ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମହିଳାମାନେ ପାରମ୍ପରିକ ନାଚ ଓ ସଂଗୀତ ଗାନ କରିଥିଲେ। ଏହି ସମୟରେ ମହିଳାମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ସାରିଙ୍ଗିଇର୍ପିଠାରୁ ଏହି ଶୋଭାଯାତ୍ରା ବାହାରି ଦାରିଙ୍ଗବାଡିର ଚାରିଛକ ହୋଇ ତିନିଛକ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ଅଞ୍ଚଳକୁ ମଦ ମୁକ୍ତ କରିବା ସହ ଆମକୁ ମଦ ନୁହଁ ପାଣି ଦରକାର, ପୁରୁଷମାନେ ଦୁଇଟି ସ୍ତ୍ରୀ ନ ରଖିବାକୁ ସଚେତନ କରିବା ସହ ପିଲାଙ୍କୁ ହଷ୍ଟେଲରେ ନ ଛାଡି ବାପାମା’ ନିଜ ନିକଟରେ ରଖି ଶିକ୍ଷା ପ୍ରଦାନ କରିବାକୁ ସେମାନେ ସ୍ଲୋଗାନ ଦେଇଥିଲେ। ସେହିପରି ନାରୀ ନିର୍ଯ୍ୟାତନା ବୃଦ୍ଧିକୁ ରୋକିବା ସହ ମହିଳାମାନେ ଏକାଠି ହୋଇ ଏହି ହିଂସାକୁ ରୋକିପାରିବା ବୋଲି କୁହାଯାଇଥିଲା। ସେହିପରି ପ୍ଲାଷ୍ଟିକ ବ୍ୟବହାର ନ କରିବା ସହ ଭ୍ରୁଣହତ୍ୟା ମଧ୍ୟ ନ କରିବାକୁ ସଚେତନ କରାଯାଇଥିଲା। ଏଥିସହ ପୁଅ ଝିଅ ସମସ୍ତେ ସମାନ। ତେଣୁ ଝିଅଙ୍କୁ ବଞ୍ଚାଇବା ଆମର କର୍ତ୍ତବ୍ୟ ଏବଂ ଝିଅଙ୍କୁ ବଞ୍ଚାଇବା ସହ ସେମାନଙ୍କୁ ପଢ଼ାଇବା ମଧ୍ୟ ଆମର ଦାୟିତ୍ୱ ବୋଲି କୁହାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share