Categories: ଜାତୀୟ

ବୈଶ୍ୱିକ ଆନ୍ଦୋଳନରେ ପରିଣତ ହୋଇଛି ଯୋଗ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରୁ ଭାରତବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି , ମୁଁ ଭିଡିଓ ବାର୍ତ୍ତା ମାଧ୍ୟମରେ ତୁମ ସମସ୍ତଙ୍କ ସହ ସଂଯୋଗ କରୁଛି, କିନ୍ତୁ ମୁଁ ଯୋଗ କାର୍ଯ୍ୟକ୍ରମରୁ ଦୂରେଇ ଯାଉନାହିଁ। ଭାରତୀୟ ସମୟ ଅନୁଯାୟୀ ଆଜି ସା ପ୍ରାୟ ୫:୩୦ସମୟରେ ମୁଁ ମିଳିତ ଜାତିସଂଘ ମୁଖ୍ୟାଳୟରେ ଏକ ବିଶାଳ ଯୋଗ କାର୍ଯ୍ୟକ୍ରମରେ ଯୋଗଦେବି। ଭାରତର ଆଓ୍ବାନରେ ବିଶ୍ୱର ୧୮୦ରୁ ଅଧିକ ଦେଶ ଏକାଠି ହେବା ଐତିହାସିକ ଏବଂ ଅଦ୍ଭୁତପୂର୍ବ।

ପ୍ରଧାନମନ୍ତ୍ରୀ କହିଛନ୍ତି , ୨୦୧୪ରେ ଜାତିସଂଘ ସାଧାରଣ ସଭାରେ ଯେତେବେଳେ ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତାବ ଆସିଲା, ସେତେବେଳେ ରେକର୍ଡ ସଂଖ୍ୟକ ଦେଶ ଏହାକୁ ସମର୍ଥନ କରିଥିଲେ। ସେବେଠାରୁ ଯୋଗ ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନରେ ପରିଣତ ହୋଇଛି।

ଅନ୍ୟପଟେ,ଯୋଗ ଦିବସ ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସମଗ୍ର ବିଶ୍ୱକୁ ନେଇଛନ୍ତି। ସେ କହିଛନ୍ତି, ଜୁନ ୨୧ ରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଏ ।

ଅହମ୍ମଦାବାଦରେ ଏକ ନୂତନ ନିର୍ମିତ ଉଦ୍ୟାନର ଉଦଘାଟନ କରି ଅମିତ ଶାହା କହିଛନ୍ତି ଯେ ସମଗ୍ର ବିଶ୍ୱ ଯୋଗକୁ ଆପଣେଇଛି ଏବଂ ଜୁନ ୨୧ରେ ୧୭୦ରୁ ଅଧିକ ଦେଶରେ ଯୋଗ ଦିବସ ପାଳନ କରାଯାଏ। ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରାଚୀନ ଜ୍ଞାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ଯୋଗକୁ ସେମାନଙ୍କ ଜୀବନଶୈଳୀର ଏକ ଅଂଶ କରିବାକୁ ପ୍ରଧାନମନ୍ତ୍ରୀ ଲୋକଙ୍କୁ ପ୍ରେରଣା ଦେଇଥିଲେ, ଯାହା ଅନେକଙ୍କ ଜୀବନକୁ ବଦଳାଇ ଦେଇଛନ୍ତି।

Share