ସବୁ ପଞ୍ଚାୟତକୁ ଏପ୍ରିଲ ସୁଦ୍ଧା ଇଣ୍ଟରନେଟ୍‌ ସଂଯୋଗ

ଭୁବନେଶ୍ୱର,୭ା୧୦(ବ୍ୟୁରୋ):ରାଜ୍ୟର ସବୁ ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ କରାଯିବ। ୫-ଟି ଢାଞ୍ଚାରେ ପ୍ରଶାସନକୁ ତ୍ୱରାନ୍ବିତ କରିବା ଲାଗି ଏହି ପଦକ୍ଷେପ ନେଇ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟାନ୍ବୟନ କମିଟି ବୈଠକରେ ଏହା ସ୍ଥିର କରାଯାଇଛି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଆଇଟି ସଚିବ ମନୋଜ ମିଶ୍ର ଇଣ୍ଟରନେଟ୍‌ ସଂଯୋଗ ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଏବଂ ଆର୍ଥିକ ବିଷୟ ଉପରେ ଆଲୋଚନା ଲାଗି ତଥ୍ୟ ଉପସ୍ଥାପିତ କରିଛନ୍ତି। ଭାରତନେଟ୍‌ ଯୋଜନାରେ ହୋଇଥିବା ଅଗ୍ରଗତିର ସମୀକ୍ଷାକରି ଏପ୍ରିଲ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଡିଜିଟାଲ ଭିତ୍ତିଭୂମି ରାଜ୍ୟ ବିକାଶର ଏକ ପ୍ରମୁଖ ଚାଳକ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ଓ୍ବାଇ-ଫାଇ ସଂଯୋଗ ଦିଆଯିବ। ପଞ୍ଚାୟତସ୍ତରର ସବୁ ସରକାରୀ ଅଫିସ, ବ୍ୟାଙ୍କ, ମେଡିକାଲ ଆଦି ଏହି ଇଣ୍ଟରନେଟ ସେବା ପାଇପାରିବେ ବୋଲି ସେ କହିଛନ୍ତି। ଇଣ୍ଟରନେଟ୍‌ ଭିତ୍ତିଭୂମିର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକ ସ୍ଥଳେ ଉନ୍ନତୀକରଣ ଲାଗି ଏକ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ବ୍ୟବସ୍ଥା କରିବାକୁ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତରେ ୫ଟି ଇଣ୍ଟରନେଟ୍‌ ପଏଣ୍ଟ ଯୋଗାଇବା ନିମନ୍ତେ ସ୍ଥିର କରାଯାଇଛି। ସେଥିରୁ ସମସ୍ତ କାର୍ଯ୍ୟାଳୟ ସଂଯୋଗ ନେଇପାରିବେ। ପଞ୍ଚାୟତର ମୁଖ୍ୟ ବ୍ୟବସାୟିକ ସ୍ଥାନରେ ଓ୍ବାଇ-ଫାଇ ରହିବ। ଟେଲି ମେଡିସିନ କେନ୍ଦ୍ର, କୃଷି-କିଓକ୍ସ ଆଦିକୁ ମଧ୍ୟ ସଂଯୋଜିତ କରାଯିବ।
ମନୋଜ ମିଶ୍ର କହିଛନ୍ତି, ବର୍ତ୍ତମାନ ଯାଏ ୨୨,୫୪୧ କି.ମି. ଅପ୍ଟିିକାଲ ଫାଇବର କେବୁଲ ବିଛା ସରିଛି। ଅବଶିଷ୍ଟ ୫,୦୬୯ କି.ମି. କେବୁଲ କାର୍ଯ୍ୟ ଶୀଘ୍ର ସରିବ। ସେହିପରି ୪୬୫୧ ପଞ୍ଚାୟତ ଏବଂ ୨୩୦ ବ୍ଲକରେ ଇଣ୍ଟରନେଟ୍‌ ସଂଯୋଗ ଦିଆସରିଛି। ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ ମିଳିବା ମାତ୍ରେ ସେସବୁ କାର୍ଯ୍ୟକ୍ଷମ କରାଇବା ଆବଶ୍ୟକ। ଓକାକ୍‌ ରାଜ୍ୟର ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛି ବୋଲି ସେ କହିଛନ୍ତି।

Share