Categories: ଜାତୀୟ

ମଣିପୁରକୁ ଆଂଶିକ ଫେରିଲା ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ,୨୬ା୭: ମଣିପୁରରେ ଜାତିଆଣ ହିଂସା ଯୋଗୁ ଦୁଇ ମାସରୁ ଊର୍ଦ୍ଧ୍ୱ ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ପରେ ମଙ୍ଗଳବାର ଆଂଶିକ ଫେରିଛି। ଯେଉଁମାନେ ଷ୍ଟାଟିକ୍‌ ଆଇପି ସଂଯୋଗ ନେଇଛନ୍ତି, ସେମାନେ ସୀମିତ ଇଣ୍ଟରନେଟ୍‌ ସେବା ଉପଲବ୍ଧ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଅନ୍ୟ କୌଣସି ସଂଯୋଗ ଲାଗି ଏହି ସେବା ଉପଲବ୍ଧ ହେବ ନାହିଁ। ଯଦି କୌଣସି ଉପଭୋକ୍ତା ଅନ୍ୟ ପ୍ରକାର ସଂଯୋଗର ବ୍ୟବହାର କରୁଥିବା ଜଣାପଡ଼େ ସେଥିପାଇଁ ସେବା ପ୍ରଦାନକାରୀ ଦାୟୀ ରହିବେ। ଷ୍ଟାଟିକ୍‌ ଆଇପି ଠିକଣାର ପରିବର୍ତ୍ତନ ହୋଇ ନ ଥାଏ। ସେମାନଙ୍କ ଉପରେ ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ସହଜରେ ନଜର ରଖିପାରିବେ। ଓ୍ବାଇ-ଫାଇ ହଟ୍‌ସ୍ପଟ୍‌କୁ ଅନୁମତି ଦିଆଯାଇ ନାହିଁ। ସେହିପରି ଉପଭୋକ୍ତାଙ୍କ ପାଇଁ ସୋସିଆଲ ମିଡିଆ ଓ୍ବେବ୍‌ସାଇଟ ଉପଲବ୍ଧ ହେବ ନାହିଁ। ଉପଭୋକ୍ତାଙ୍କୁ ଭର୍ଚୁଆଲ ଘରୋଇ ନେଟ୍‌ଓ୍ବର୍କ (ଭିପିଏନ୍‌) ସଫ୍ଟଓ୍ବେର ହଟାଇବାକୁ ହେବ। ଦୀର୍ଘଦିନ ଧରି ଇଣ୍ଟରନେଟ୍‌ ସେବା ବନ୍ଦ ରହିବା ଫଳରେ ମଣିପୁର ସରକାର ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଇଣ୍ଟରନେଟ୍‌ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍‌, ନାମଲେଖା, ଭ୍ରମଣ ଆଦି ବିଭିନ୍ନ ସେବା ବାଧାପ୍ରାପ୍ତ ହୋଇଥିଲା। ଗୁଜବ, ମିଛ ଖବର ପ୍ରଚାର କରି ହିଂସାକୁ ଉସୁକାଇବାରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିବା ଜରୁରୀ ଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଅଢ଼େଇ ମାସରୁ ଊର୍ଦ୍ଧ୍ୱ ହିଂସା ଜାରି ରହିଥିବାରୁ ସରକାରଙ୍କ ଇଣ୍ଟରନେଟ୍‌ ବନ୍ଦ ନିଷ୍ପତ୍ତି ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ମଣିପୁର ଜାତିଆଣ ହିଂସାରେ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ଘରଦ୍ୱାର ଛାଡ଼ି ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି।

Share