Categories: ବାଣିଜ୍ୟ

୫୦୦ କମ୍ପାନୀରେ ଇଣ୍ଟର୍ନଶିପ୍‌ ସୁଯୋଗ

ଭୁବନେଶ୍ୱର,୭।୮(ଅନୁରାଧା ମହାରଣା): କେନ୍ଦ୍ର ବଜେଟ ୨୦୨୪-୨୫ ଘୋଷଣା ପରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ଅଧୀନରେ ଏକ ଇଣ୍ଟର୍ନଶିପ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ସିଏ) ଶିଳ୍ପସଂସ୍ଥା ସହ ଆଲୋଚନା କରୁଛି। ଏହି ଖବର ସରକାରୀ ସୂତ୍ରରୁ ଆସିଛି। ଏପର୍ଯ୍ୟନ୍ତ ମନ୍ତ୍ରଣାଳୟ ୨୦ଟି କମ୍ପାନୀ ସହ ଆଲୋଚନା କରିଛି ଏବଂ ଆଲୋଚନା ପାଇଁ ଶ୍ରେଷ୍ଠ ୫୦୦ କମ୍ପାନୀ ତାଲିକାରୁ ଅଧିକ କମ୍ପାନୀ ଆମନ୍ତ୍ରଣ କରିବାକୁ ପ୍ରସ୍ତୁତ ହେଉଛି। ଆଲୋଚନା ଶେଷହେବା ପରେ ମନ୍ତ୍ରଣାଳୟ ଦ୍ୱାରା ଏହି ଯୋଜନାର ବିସ୍ତୃତ ଗଠନ ପ୍ରସ୍ତୁତ ହେବ ବୋଲି ଅଧିକାରୀ କହିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିକଟରେ କେନ୍ଦ୍ର ବଜେଟରେ ଘୋଷଣା କରିଛନ୍ତି, ଶ୍ରେଷ୍ଠ ୫୦୦ କମ୍ପାନୀରେ ଯୁବକମାନଙ୍କୁ ଇଣ୍ଟର୍ନଶିପ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିବେ। ଶିଳ୍ପ ଦକ୍ଷତା ତାଲିମ ପାଇଁ ସମ୍ବଳ ସଂଗ୍ରହ କରିବାକୁ ଏମ୍‌ସିଏ ଏହି କମ୍ପାନୀଗୁଡିକ ସହ ସହଯୋଗ କରିବ। ଏହି ଯୋଜନା ଅଧୀନରେ ଇଣ୍ଟର୍ନମାନଙ୍କୁ ପ୍ରତିମାସରେ ପ୍ରାୟ ୫୦୦୦ ଟଙ୍କା ଏବଂ ଏକକାଳୀନ ସହାୟତା ପ୍ରାୟ ୬,୦୦୦ ଟଙ୍କା ମିଳିବ। ଏହି ଇଣ୍ଟର୍ନମାନଙ୍କୁ ତାଲିମ ଦେବାର ଖର୍ଚ୍ଚ କମ୍ପାନୀଗୁଡିକ ସେମାନଙ୍କର ସିଏସ୍‌ଆର୍‌ ମାଧ୍ୟମରେ ବହନ କରିବେ। ଶ୍ରେଷ୍ଠ ୫୦୦ କମ୍ପାନୀର ଭ୍ୟାଲୁ ଚେନ୍‌ ମାଧ୍ୟମରେ ଇଣ୍ଟର୍ନଶିପ ପ୍ରଦାନ କରାଯିବ।

Share