ନୂଆଦିଲ୍ଲୀ, ୧୩।୨(ଆଇଏଏନ୍ଏସ୍): ଭିନ୍ନ ଜାତିରେ ବିବାହ ସମାଜରୁ ଜାତିପ୍ରଥା ଜନିତ ପ୍ରତିବନ୍ଧକ ଦୂର କରିବାର ଏକ ଉପାୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜୀବନସାଥୀ ଚୟନ କରୁଥିବା ପୁଅଝିଅ ଶ୍ରେଣୀ ସମ୍ମାନ (କ୍ଲାସ୍ ଅନର) କିମ୍ବା ଗୋଷ୍ଠୀ ବିଚାର (ଗ୍ରୁପ୍ ଥିଙ୍କିଙ୍ଗ)ର ଅବଧାରଣାର ଅଧୀନ ହୋଇପାରିବେ ନାହିଁ ବୋଲି ଜଷ୍ଟିସ୍ ସଞ୍ଜୟ କିଷନ କୌଲ ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ମତ ଦେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ ସେମାନଙ୍କ ଜୀବନସାଥୀ ଚୟନ କରିବା ଫଳରେ ସମାଜର ପୂର୍ବ ନୀତି ନିୟମଠାରୁ ଦୂରେଇ ଯାଉଛନ୍ତି, ଯେଉଁଠି ଜାତି ପ୍ରଥା ଓ ସମ୍ପ୍ରଦାୟ ବିବାହରେ ମୁଖ୍ୟ ଭୂମିକା ନେଉଥିଲା। ଜୀବନସାଥୀ ଚୟନ ଏକ ପ୍ରଗତିଶୀଳ ଦୃଷ୍ଟିକୋଣ ଯାହା ଆନ୍ତଃଜାତି ବିବାହ ମାଧ୍ୟମରେ ସମାଜରେ ଜାତି ଓ ସାମ୍ପ୍ରଦାୟିକ ଉତ୍ତେଜନା ହ୍ରାସ କରିପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରାପ୍ତବୟସ୍କ ପୁଅଝିଅ ପରସ୍ପରକୁ ବିବାହ ପାଇଁ ରାଜି ହେଲେ ପରିବାର, ସମ୍ପ୍ରଦାୟ କିମ୍ବା ବଂଶର ଅନୁମତି ଆବଶ୍ୟକତା ନାହିଁ। ପୂର୍ବରୁ ଅଦାଲତ ଅନେକ ଥର ଏଭଳି ରାୟ ଦେଇଛନ୍ତି। ବିବାହର ଅନ୍ତରଙ୍ଗତା ଗୋପନୀୟତାର ମୂଳ ଜୋନ୍ ମଧ୍ୟରେ ଅବସ୍ଥିତ, ଯାହା ପବିତ୍ର ଏବଂ ବିଶ୍ୱାସର ପ୍ରସଙ୍ଗ। ନିଜ ଇଚ୍ଛାରେ ବିବାହ କରିବା ଅଧିକାର ସମ୍ବିଧାନର ଅନୁଚ୍ଛେଦ ୨୧ରେ ସନ୍ନିବେଶିତ ହୋଇଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି।
କର୍ନାଟକର ଜଣେ ଯୁବତୀ ଘରେ ନ ଜଣାଇ ନିଜ ପସନ୍ଦର ପୁଅକୁ ବିବାହ କରିଥିଲେ। ଝିଅ ନିଖୋଜ ଥିବା ନେଇ ବାପା ଥାନାରେ ଏତଲା ଦେଇଥିଲେ। ଝିଅ ଥାନାରେ ଆସି ବୟାନ ନ ଦେଲେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହେବ ବୋଲି ପୋଲିସ କହିବାରୁ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ପୋଲିସ ଅଫିସରଙ୍କ ଧମକପୂର୍ଣ୍ଣ କାର୍ଯ୍ୟକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିଛନ୍ତି। ଝିଅଙ୍କ ବାପା ଦାଏର କରିଥିବା ଏତଲାକୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଆନ୍ତଃଜାତି ବିବାହକୁ ନେଇ ସୃଷ୍ଟ ସମ୍ବେଦନଶୀଳ ମାମଲାଗୁଡ଼ିକର ପରିଚାଳନା ପାଇଁ ପୋଲିସ ଅଧିକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଏଥିପାଇଁ ପୋଲିସ କର୍ତ୍ତୃପକ୍ଷ ଆଗାମୀ ୮ ସପ୍ତାହ ମଧ୍ୟରେ ଗାଇଡ୍ଲାଇନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରିବାକୁ ଅଦାଲତ ଆଶାବ୍ୟକ୍ତ କରିଛନ୍ତି।