ଭୁବନେଶ୍ୱର,୨୬।୪: ଚଳିତ ଆର୍ଥତ୍କବର୍ଷରେ ଦେଶର ଅଭିବୃଦ୍ଧି ଟ୍ରାକକୁ ଫେରି ଆସିବ ବୋଲି ଅନେକେ ଆଶା କରୁଥିଲେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମଧ୍ୟ ୨ ସପ୍ତାହ ତଳେ କହିଥିଲା ଯେ, ଭାରତର ଅଭିବୃଦ୍ଧି ୧୨.୫% ଛୁଇଁବ। ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ଭାରତ ସବୁଠାରୁ ବେଶି ହାରରେ ଅଭିବୃଦ୍ଧି କରିବ ବୋଲି ଏହାର ରିପୋର୍ଟରେ କୁହାଯାଇଥିଲା। ବର୍ତ୍ତମାନ କୋଭିଡ୍ ୧୯ ପୁଣି ଥରେ ସାରା ବିଶ୍ୱକୁ କବଳିତ କରିଛି। ଅଭିବୃଦ୍ଧି ନେଇ ଏଜେନ୍ସିଗୁଡ଼ିକ ଯେଉଁ ଆକଳନ କରିଥିଲେ ତାହା ହାସଲ କରିବା ସମ୍ଭବ ହେବ କି ନାହିଁ ତାହା ବର୍ତ୍ତମାନ ଆଶଙ୍କା କରାଯାଉଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ଥିତି ବର୍ତ୍ତମାନ ସାଂଘାତିକ ହୋଇଛି। ଦେଶର ଜିଡିପିକୁ ୬%ରୁ ଊର୍ଦ୍ଧ୍ୱ ଯୋଗଦାନ ରଖୁଥିବା ମୁମ୍ବାଇର ବ୍ୟବସ୍ଥା ମଧ୍ୟ କରୋନା ପାଇଁ ବେହାଲ ହୋଇପଡିଛି।
ସରକାର ବର୍ତ୍ତମାନ ସାରା ଦେଶକୁ ଲକ୍ଡାଉନ କରିନାହାନ୍ତି। ରାଜ୍ୟ ଏବଂ ଆଞ୍ଚଳିକ ସ୍ତରରେ କଟକଣା ଦ୍ୱାରା କୋଭିଡ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟଗୁଡିକୁ ଦାୟିତ୍ୱ ଦିଆଯାଇଛି। ଦ୍ୱିତୀୟ ଲହର ଯୋଗୁ ଯେଉଁ କ୍ଷତି ସାଧନ ହେଉଛି ତାହା ଭରଣା କରିବାକୁ ସମୟ ଲାଗିବ। ଏଭଳି ସ୍ଥିତିରେ ରେଟିଂ ଏଜେନ୍ସି ଫିଚ୍ ଭାରତର ଅଭିବୃଦ୍ଧି ଆକଳନକୁ ନେଇ ଆଶାବାଦୀ ବୋଲି କହିଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୨.୮% ବଢିବ ବୋଲି ଏହି ଏଜେନ୍ସି ରିପୋର୍ଟରେ ପ୍ରକାଶ କରିଛି। ଆର୍ବିଆଇ ମଧ୍ୟ ୧୦.୫% ଅଭିବୃଦ୍ଧି ଆକଳନକୁ ଅପରିବର୍ତ୍ତିତ ରଖିଛି। ନିକଟରେ ଗଭର୍ନର ଶକ୍ତିକାନ୍ତ କହିଥିଲେ ଯେ, ସଂକ୍ରମଣ ଅର୍ଥ ବ୍ୟବସ୍ଥାକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛି। ଅର୍ଥ ବ୍ୟବସ୍ଥା ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିବ।
ଜାନୁୟାରୀ ତୁଳନାରେ ଏପ୍ରିଲ ୧୮ ସୁଦ୍ଧା ଆର୍ଥତ୍କ କାର୍ଯ୍ୟକଳାପ କ୍ଷତିଗ୍ରସ୍ତ ହୋଇଥିବା ବ୍ଲୁମବର୍ଗ ଡାଟାରୁ ସାମ୍ନାକୁ ଆସିଛି। ବ୍ଲୁମ ବର୍ଗ ଇକୋନୋମିକ୍ସର ଅର୍ଥନୀତିଜ୍ଞ ଅଭିଶେକ ଗୁପ୍ତା କହିଛନ୍ତି, ଆଞ୍ଚଳିକ ସ୍ତରରେ ଲାଗୁଥିବା କଟକଣା ମଧ୍ୟ ଆର୍ଥତ୍କ କାର୍ଯ୍ୟକଳାପକୁ ଗଭୀର ଭାବେ ପ୍ରଭାବିତ କରିଛି। ବଜାର ବିଶେଷଜ୍ଞମାନେ ମଧ୍ୟ ଚଳିତ ବର୍ଷ ସୁଧାର ପ୍ରକ୍ରିୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।