ଅଫିସ ଖୋଲି ଯୁବତୀଙ୍କ ଇଣ୍ଟରଭ୍ୟୁ ନେବା ସହ ଦେଉଥିଲେ ମିଛ ଅଫର ଲେଟର, ଏମିତି ପଡ଼ିଲେ ଧରା…

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନ ଏବଂ ଲିଳିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗକୁ ଭିତ୍ତିକରି  ଥାନାଧିକାରୀ ବଧୂଲିକା ବିଶ୍ବାଳ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ମାଷ୍ଟରମାଇଣ୍ଡ୍‌ ରଞ୍ଜିତ ପଟ୍ଟନାୟକ (ଜିତ୍‌)ଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କରିଛନ୍ତି। ଏଥିସହିତ ଦୁଇ ସହଯୋଗୀ କନ୍ଦର୍ପ ନାୟକଙ୍କୁ ସାରଙ୍ଗଡ଼ରୁ ଗିରଫ କରିଥିବା ବେଳେ ଜ୍ୟୋତିପ୍ରକାଶ ଦଣ୍ଡସେନାଙ୍କୁ ରାୟଗଡ଼ା ଜିଲା ଗୁଣୁପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି  ପୋଲିସ।
ସୂଚନାନୁଯାୟୀ, ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକଙ୍କ ଯୋଜନା ମୁତାବକ ସାରଙ୍ଗଡ଼ରୁ କନ୍ଦର୍ପ ନାୟକ ଓ ତୁମୁଡ଼ିବନ୍ଧ ଅଞ୍ଚଳର ଜ୍ୟୋତିପ୍ରକାଶ ଦଣ୍ଡସେନା ସାରଙ୍ଗଡ଼ ଓ ବାଲିଗୁଡ଼ା ଅଞ୍ଚଳର ବହୁ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣପିଛା ୭୦ ହଜାର ଟଙ୍କା ଲେଖାଏ ଠକି ନେଇଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଥିଲା। କିଛି ଯୁବକଙ୍କଠାରୁ ଅର୍ଥ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ରଞ୍ଜିତ ଭୁବନେଶ୍ୱର ରାମମନ୍ଦିର ନିକଟରେ ଏକ ଭଡ଼ାଘରେ ଅଫିସ ଖୋଲି ଯୁବତୀ/ଯୁବକଙ୍କ ଇଣ୍ଟରଭ୍ୟୁ ନେବା ସହ ମିଛ ଅଫର୍‌ ଲେଟର ଦେଉଥିଲେ। ଏମାନଙ୍କଠାରୁ ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ଜି.ଉଦୟଗିରି ଏସ୍‌ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।