ଶିଳ୍ପୀଙ୍କ କଳାକାରି ଦେଖିଲେ ଯେ କେହି ବି ମୁଗ୍ଧ ହୋଇଯିବେ। ବିଶେଷକରି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ସେ କଳାର ରୂପ ଦିଅନ୍ତି। ପ୍ରସ୍ତୁତ କରନ୍ତି ପଟ୍ଟଚିତ୍ର। ଇଏ ହେଲେ ଯୁବ ପଟ୍ଟଚିତ୍ର ଶିଳ୍ପୀ ପ୍ରଦ୍ୟୁମ୍ନ ମହାପାତ୍ର। ଘର ତାଙ୍କର ପୁରୁଣା ଭୁବନେଶ୍ୱରରେ। ସେ କୁହନ୍ତି, ଆମ ପରିବାରର ରୋଜଗାରର ମାଧ୍ୟମ ହେଉଛି ଏହି ପଟ୍ଟଚିତ୍ର। ପିଲାବେଳୁ ମୁଁ ଦେଖି ଆସିଛି ସମସ୍ତେ କେମିତି ପଟ୍ଟଚିତ୍ର ପ୍ରସ୍ତୁତ କରନ୍ତି। ମୋତେ ବି ଦେଖିଦେଖି ଖୁବ୍ ଭଲ ଲାଗେ। କହିବାକୁ ଗଲେ, ଏହି ଛୋଟ ବୟସରୁ ହିଁ ପଟ୍ଟଚିତ୍ର କରିବାର ନିଶା ମୋ ଭିତରେ ଆସିଥିଲା। ମୋ ବାପା ପୁରୁଷୋତ୍ତମ ମହାପାତ୍ରଙ୍କର ହସ୍ତକଳାରେ ସ୍ବତନ୍ତ୍ର ପରିଚୟ ରହିଛି। ଘରେ ସେ ଯେତେବେଳେ ପଟ୍ଟଚିତ୍ର କରନ୍ତି, ଏଥିରେ ପରିବାରର ଅନ୍ୟମାନେ ସହଯୋଗ କରିଥାନ୍ତି। ମୋ ମା’ କୁନାମଣି ଦେଈ ମଧ୍ୟ ବିଭିନ୍ନ ଚିତ୍ର କରିଥାନ୍ତି। +୨ ପଢ଼ା ବେଳେ ଏକ ହସ୍ତକଳା ଶିବିରରେ ପ୍ରାୟ୧ବର୍ଷ ଟ୍ରେନିଂ ନେଇଥିଲି। ତା’ପରେ ୨୦୧୧-୧୨ ମସିହାରେ ଗଣ୍ଡମୁଣ୍ଡା ହସ୍ତକଳା ଟ୍ରେନିଂ ସେଣ୍ଟରରେ ଯୋଗଦେଇଥିଲି। ପଟ୍ଟଚିତ୍ର ତିଆରି ପାଇଁ କେହିକେହି ତାଳପତ୍ରରେ ଖୋଦେଇ କରିଥାନ୍ତି। ସେହିପରି ଆଉ କେହି କେହି କଟନ ଶାଢ଼ିକୁ ଚଟାଣରେ ପାରି ସେଥିରେ ତେନ୍ତୁଳିମଞ୍ଜିର ମଣ୍ଡ ଦେଇ ଖରାରେ ଶୁଖାଇ ରଖିଥାନ୍ତି। ଏହାପରେ ଖଡ଼ିଗୁଣ୍ଡର ପ୍ରଲେପ ଦିଆଯାଇଥାଏ। ପରେ ଏହି କନାକୁ ପଲିସକରିବା ପାଇଁ ଖୁଆ ପଥରକୁ ଘଷା ଯାଇଥାଏ। ତା’ପରେ ପେନ୍ସିଲରେ ବିଭିନ୍ନ ପ୍ରକାର ଚିତ୍ରକୁ ସ୍କେଚ୍ କରାଯାଇଥାଏ। ଅଙ୍କନ କରାଯାଇଥିବା ଚିତ୍ରରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଦିଆଯାଇଥାଏ। ଯଥା- ହେଙ୍ଗୁଳ,ହରିତାଳ, ଧଳା, ପିହୁଳି, ଖଣ୍ଡନୀଳ, ସିନ୍ଦୂର, ଡିବି କିମ୍ବା ଦୀପକଳାରେ କଇଁଥ ଅଠା ମିଶାଯାଇଥାଏ। ତା’ ପରେ ପଟ୍ଟଚିତ୍ରରେ ଏହି ଦେଶୀ ରଙ୍ଗକୁ ଲଗାଇଥାନ୍ତି। ଫଳରେ ଚିତ୍ରଗୁଡ଼ିକ ସୁନ୍ଦର ଦିଶିଥାଏ। ବିଶେଷକରି ବିଭିନ୍ନ ପୌରାଣିକ ବିଷୟକୁ ନେଇ ଶ୍ରୀଗଣେଶ, ଶ୍ରୀକୃଷ୍ଣ, ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ, ବିଭିନ୍ନ ବେଶ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା ଆଦି ପଟ୍ଟଚିତ୍ର ତିଆରି କରିଥିଲି। ନର୍ତ୍ତକୀ, ବୋଇତ ବନ୍ଦାଣ, ରଜଦୋଳି, ସବାରି ପାଲିଙ୍କି, ବରକନ୍ୟା, ଶୁଭବିବାହ, ବରଯାତ୍ରୀ, ଶୁଆଶାରୀ, ହାତୀ, ମୟୂର ଆଦି ବିଭିନ୍ନ ପଟ୍ଟଚିତ୍ର ତିଆରି କରିଥାଏ। ଏଥିପାଇଁ ରାଜ୍ୟ ଓ ବାହାର ରାଜ୍ୟରେ ଆୟୋଜିତ କେତେକ ହସ୍ତକଳା ମେଳାରେ ଯୋଗଦେଇ ଏହି ପଟ୍ଟଚିତ୍ରଗୁଡ଼ିକୁ ବିକ୍ରିକରିଥାଏ ।
ଭୁବନେଶ୍ୱରରେ ଆୟୋଜିତ ହସ୍ତକଳା ଶିବିରରେ ଏକାଧିକ ଥର ଯୋଗଦେଇଛି। ପଟ୍ଟଚିତ୍ର ପ୍ରଦର୍ଶନୀ ପାଇଁ ମୋତେ ପୁରସ୍କାର ମିଳିଛି।