ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ର ଉଦ୍ଭାବନ, ୨ ମାସରେ ପ୍ରକୃତିରେ ମିଶି ଖତ ହୋଇଯିବ

କୋପେନହାଗନ, ୨୩।୬: ସମ୍ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡେନ୍‌ମାର୍କର କୋପେନହାଗନ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ଓ ପରିବେଶ ବିଜ୍ଞାନ ବିଭାଗର ବୈଜ୍ଞାନିକମାନେ ଏକ ନୂତନ ପ୍ରକାରର ଜୈବ ବିଘଟନ ଯୋଗ୍ୟ ପ୍ଲାଷ୍ଟିକର ଉଦ୍ଭାବନ କରିଛନ୍ତି। ବାର୍ଲି ଜାତୀୟ ଶସ୍ୟ ଓ ଚିନି ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ସେମାନେ ଏହି ନୂତନ ପ୍ରକାରର ବାୟୋ ପ୍ଲାଷ୍ଟିକକୁ ବିକଶିତ କରିଛନ୍ତି। ପରିବେଶ ପାଇଁ ଏହି ବାୟୋ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ରୂପେ ଅନୁକୂଳ ରହିଛି। ଏହି ବାୟୋ ପ୍ଲାଷ୍ଟିକ ପ୍ରକୃତିରେ ସମ୍ପୂର୍ଣ୍ଣ ମିଶିଯାଇ ଖତରେ ପରିଣତ ହୋଇଥାଏ ତେଣୁ ଏହାର ବ୍ୟବହାରରେ ପ୍ରଦୂଷଣକୁ ହ୍ରାସ କରାଯାଇପାରିବ ବୋଲି କୋପେନହାଗନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦାବି କରିଛନ୍ତି। କେବଳ ୨ ମାସ ମଧ୍ୟରେ ଏହି ବାୟୋ ପ୍ଲାଷ୍ଟିକ ପ୍ରକୃତିରେ ସମ୍ପୂର୍ଣ୍ଣ ଭାବେ କ୍ଷୟ ହୋଇପାରିବ ବୋଲି ଏହି ଗବେଷଣାର ମୁଖ୍ୟ ବୈଜ୍ଞାନିକ ଆଣ୍ଟ୍ରିଆସ ବ୍ଲେନୋ କହିଛନ୍ତି। ପ୍ରାକୃତିକ ଉଦ୍ଭିଦ ସାମଗ୍ରୀରେ ନିର୍ମିତ ଏହି ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ, ଖାଦ୍ୟ ପ୍ୟାକେଜିଂ ସହ ଅନେକ ପ୍ରକାର ପ୍ରୟୋଗ ପାଇଁ ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି। ସେହିପରି ବର୍ତ୍ତମାନ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକଠାରୁ ଏହି ନୂତନ ବାୟୋ ପ୍ଲାଷ୍ଟିକ ଅଧିକ ଶକ୍ତିଶାଳୀ ଓ ଅଧିକ ଜଳ ପ୍ରତିରୋଧକ ହୋଇଥିବା ଆଣ୍ଟ୍ରିଆସ କହିଛନ୍ତି।

Share