ପିଡିଏସ୍‌ ଚାଉଳରେ ଅପମିଶ୍ରଣ ଖବରର ତଦନ୍ତ କରାନ୍ତୁ

ଭୁବନେଶ୍ବର, ୨୮ା୨(ବ୍ୟୁରୋ):ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ୍‌ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ଆବଶ୍ୟକତା ଅଛି। ଏହାସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି।
ଧର୍ମେନ୍ଦ୍ର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତବର୍ଷର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି। ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ଓଡ଼ିଶା ହୋଇଛି। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି। ମାତ୍ର ନିକଟରେ କୋରାପୁଟ ଜିଲାର ଲମତାପୁଟ, ବାଲେଶ୍ୱରର ସଦର ବ୍ଲକ ତଥା ସୁନ୍ଦରଗଡ଼ ଜିଲା ବଡବାହାଲଠାରେ ପିଡିଏସରେ ଦିଆଯାଉଥିବା ଚାଉଳ ନେଇ ଜନସାଧାରଣଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବା ଜଣାପଡିଛି। ପୂର୍ବରୁ ମିଳୁଥିବା ଚାଉଳ ଏବଂ ବର୍ତ୍ତମାନ ମିଳୁଥିବା ଚାଉଳରେ ପାର୍ଥକ୍ୟ ରହିଥିବା କୁହାଯାଉଛି। ବର୍ତ୍ତମାନ ମିଳୁଥିବା ଚାଉଳ ପାଣିରେ ଭିଜିବା ପରେ ତଳେ ରହିବା ପରିବର୍ତ୍ତେ ଉପରେ ଭାସମାନ ଅବସ୍ଥାରେ ରହୁଛି ଏବଂ ରନ୍ଧାଶୈଳୀ ଓ ସ୍ବାଦ ମଧ୍ୟ ଭିନ୍ନଥିବା ଜଣାପଡିଛି। ଏହି କାରଣରୁ ପିଡିଏସ ମାଧ୍ୟମରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଉଥିବା ନେଇ ଗୁଜବ ସୃଷ୍ଟି କରାଯାଉଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିଷୟରେ ତଦନ୍ତ କରିବା ପାଇଁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ଲାଗି କେନ୍ଦ୍ରମନ୍ତ୍ରୀ ପୀୟୂଷଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।

Share