ବାଇଡେନ୍‌ଙ୍କ ଘରୋଇ ଅଫିସ୍‌ରେ ଗୋଇନ୍ଦା ଦସ୍ତାବିଜ୍‌

ଓ୍ବାଶିଂଟନ,୧୧ା୧: ଜୋ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋଇନ୍ଦା ଦସ୍ତାବିଜ୍‌ ମିଳିଛି। ସେଥିରେ ୟୁକ୍ରେନ୍‌, ଇରାନ ଏବଂ ବ୍ରିଟେନ୍‌ର ଗୋପନ ତଥ୍ୟ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ବାଇଡେନ୍‌ଙ୍କ ଘରୋଇ କାର୍ଯ୍ୟାଳୟରୁ ୧୦ଟି ଦସ୍ତାବିଜ୍‌ ମିଳିଥିଲା। ସେଗୁଡ଼ିକ ୨୦୧୩ରୁ ୨୦୧୬ ସମୟର। ଏଥିସହିତ କେତେକ ବାକ୍ସରେ ବାଇଡେନ୍‌ଙ୍କ ପରିବାରର ବ୍ୟକ୍ତିଗତ ଦସ୍ତାବିଜ ମଧ୍ୟ ରହିଛି। ଆଟର୍ନି ଜେନେରାଲ ମେରିକ୍‌ ଗାର୍ଲାଣ୍ଡ ଜାତୀୟ ଆର୍ଚିଭ୍ସ ଆଣ୍ଡ ରେକର୍ଡସ ପ୍ରଶାସନ (ଏନ୍‌ଏଆର୍‌ଏ)ରୁ ଏ ସମ୍ପର୍କିତ ସୂଚନା ପାଇଥିଲେ। ଆମେରିକା କଂଗ୍ରେସର ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ୬ ଦିନ ପୂର୍ବରୁ ଅର୍ଥାତ୍‌ ଗତ ନଭେମ୍ବର ୨ରେ ଦସ୍ତାବିଜ୍‌ଗୁଡ଼ିକ ମିଳିଥିବାବେଳେ ସୋମବାର ଏହା ଲୋକଲୋଚନକୁ ଆସିଛି। ବାଇଡେନ୍‌ ୟୁନିଭର୍ସିଟି ଅଫ୍‌ ପେନ୍‌ସିଲଭାନିଆରେ କାମ କରୁଥିଲାବେଳେ ଉକ୍ତ ଅଫିସକୁ ବ୍ୟବହାର କରୁଥିଲେ। ତାଙ୍କର ଜଣେ ବ୍ୟକ୍ତିଗତ ଓକିଲ ଉକ୍ତ ଡାଉନ୍‌ଟାଉନ୍‌ ଡିସି ଅଫିସକୁ ବନ୍ଦ କରିଦେଇଥିଲେ। ପୂର୍ବତନ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଦସ୍ତାବିଜ ଲେଖାଥିବା ଏକ ଲଫାପାକୁ ଓକିଲ ଖୋଲିବାରୁ ସେଥିରୁ କ୍ଲାସିଫାଏଡ୍‌ ଡକ୍ୟୁମେଣ୍ଟ ମିଳିଥିଲା। ଓକିଲ ଜଣକ ଉକ୍ତ ଏନ୍‌ଭଲପ୍‌କୁ ବନ୍ଦ କରିଦେଇ ଏନ୍‌ଏଆର୍‌ଏକୁ ଡାକିଥିଲେ।

Share