ଚାଉଳ ହେରଫେର ଅଭିଯୋଗର ତଦନ୍ତ

ବଇଣ୍ଡା,୨୮ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତର ଜଣେ ଡିଲର ରାଶନକାର୍ଡଧାରୀଙ୍କ ଚାଉଳରେ ହେରଫେର କରୁଥିବା ନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଠମଲ୍ଲିକ ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଠମଲ୍ଲିକ ବିଡିଓ ସୌଭାଗ୍ୟ ବେହେରା, ସହକାରୀ ଜିଲାପାଳ ସୁଜିତ କୁମାର ଭୋଇ, ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା ପଞ୍ଚାୟତରେ ପହଞ୍ଚି ତଦନ୍ତ କରିଛନ୍ତି।
ପ୍ରକାଶ ଯେ, ପେଡିପଥର ସରପଞ୍ଚ ଭରତ ଚନ୍ଦ୍ର ସାହୁ ପଞ୍ଚାୟତର ଜଣେ ଡିଲରଙ୍କ ବିରୋଧରେ ସୋମବାର ଗୁରୁତର ଅଭିଯୋଗ ଆଣିଥିଲେ। ଅଭିଯୋଗପତ୍ରରେ ସରପଞ୍ଚ ଉଲ୍ଲେଖ କରିଥିଲେ, ପେଡିପଥର ପଞ୍ଚାୟତର ଜଣେ ଡିଲର ରାଜନେତାଙ୍କ ଠାରୁ ସୁରକ୍ଷା ପାଇ ପ୍ରତ୍ୟେକ ମାସରେ ୧୫ କୁଇଣ୍ଟାଲ ଚାଉଳ ହେରଫେର କରୁଛନ୍ତି। ଅନେକ ରାଶନକାର୍ଡଧାରୀଙ୍କ ଠାରୁ ୫ କିଲୋ ଲେଖାଏ ଚାଉଳ କାଟି ଅନ୍ୟତ୍ର ବିକ୍ରି କରୁଛନ୍ତି। ଏପରି କି ମୃତ ବ୍ୟକ୍ତି ଓ ବିବାହ କରି ଶାଶୁଘର ଚାଲିଯାଇଥିବା ଝିଅଙ୍କ ନାମରେ ଚାଉଳ ଉଠାଣ କରି ସାପ୍ତାହିକ ହାଟରେ ବିକ୍ରି କରୁଛନ୍ତି। ସମ୍ପୃକ୍ତ ଡିଲରଙ୍କ ପରିବାର ନାମରେ ଅନ୍ତଦ୍ୟୋୟ କାର୍ଡ ଥିବାବେଳେ ସେ ପ୍ରତ୍ୟେକ ମାସରେ ୩୫ କିଲୋ ଲେଖାଏ ଚାଉଳ ବେଆଇନ ଭାବରେ ଉଠାଣ କରୁଛନ୍ତି। ରାଜନେତାଙ୍କ ବାହୁ ଛାୟା ତଳେ ରହି ଦୀର୍ଘ ୫ ବର୍ଷ ହେବ ଏଭଳି ବେଆଇନ କାରବାର କରୁଥିବା ବେଳେ ପୂର୍ବରୁ ବହୁବାର ଅଭିଯୋଗ କରାଯାଇଛି। ହେଲେ ତାଙ୍କ ବିରୋଧରେ ତଦନ୍ତ କରାଯାଉ ନ ଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ଭିଜିଲାନ୍ସ ତଦନ୍ତ ନିମନ୍ତେ ଅନୁଗୋଳ ଜିଲାପାଳ, ରାଜ୍ୟ ଯୋଗାଣ ମନ୍ତ୍ରୀ, ଆଠମଲ୍ଲିକ ଉପ ଜିଲାପାଳ, ବିଡଓ, ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କହିଛନ୍ତି, ଉକ୍ତ ଚାଉଳ ହେରଫେର ଅଭିଯୋଗର ତଦନ୍ତ କରାଯାଇଛି। ଚାଉଳ ବେଆଇନ ଭାବରେ ଉଠାଣ ହୋଇଥିବା ଜଣାପଡିଛି। ଖୁବ୍‌ଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।