‘ଓ୍ବାଶିଂଟନ ପୋଷ୍ଟ’ ହାତରେ କିଭଳି ଲାଗିଲା ଆତଙ୍କବାଦୀ ହରଦୀପଙ୍କ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ୍‌, ତଦନ୍ତ କରୁଛି କାନାଡା ପୋଲିସ

ଓଟ୍ଟାଓ୍ବା,୨୯।୯: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାର ତଦନ୍ତ ଜାରି ରହିଛି। ଆମେରିକୀୟ ଖବରକାଗଜ ‘ଓ୍ବାଶିଂଟନ ପୋଷ୍ଟ’ ହାତରେ ଏହି ମାମଲାର ସିସିଟିଭି ଫୁଟେଜ୍‌ ଲାଗିଛି। ଏନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଥିବା କାନାଡ଼ା ପୋଲିସର ଇଣ୍ଟିଗ୍ରେଟେଡ୍‌ ହୋମସାଇଡ୍‌ ଇନ୍‌ଭେଷ୍ଟିଗେସନ ଟିମ୍‌(ଆଇଏଚ୍‌ଆଇଟି) ସୂଚନା ଦେଇଛି।

ପ୍ରକାଶ ଯେ, ଚଳିତ ବର୍ଷ ଜୁନ ମାସରେ ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜ୍ଜରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ। ଟ୍ରୁଡୋଙ୍କ ବିବୃତ୍ତି ପରେ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଟ୍ରୁଡୋଙ୍କ ଅଭିଯୋଗକୁ ଭିତ୍ତିହୀନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭାରତ କହିବା ସହ ପ୍ରତ୍ୟାଖ୍ୟାନ କରି ଆସୁଛି।

Share