ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ

ବ୍ରହ୍ମପୁର ଅଫିସ,୧୯।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉକ୍ତ ମହାବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା, ଆଣ୍ଟି ରାଗିଂ ସେଲ, ଶୃଙ୍ଖଳା କମିଟି, ବିଦ୍ୟାର୍ଥୀଙ୍କ ସହ ପୃଥକ ଭାବେ କଥା ହୋଇତଥ୍ୟ ସଂଗ୍ରହ କରିଥିଲେ। ମହାବିଦ୍ୟାଳୟର ଅଭାବ ଥିବା ଅନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ରାଗିଂ ଭଳି ମାନସିକତା ରଖୁଥିବା ଛାତ୍ରୀଛାତ୍ରଙ୍କୁ ଉଚିତ ଶିକ୍ଷା ବୋଲି ସେ କହିଥିଲେ। ଏଥିସହ ଆଗାମୀ ଦିନରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃଷ୍ଟିରେ ରଖି ମହାବିଦ୍ୟାଳୟରେ ଆଣ୍ଟିରାଗିଂ ସେଲ ଓ ଶୃଙ୍ଖଳା କମିଟିକୁ ନିର୍ଦ୍ଦେଶ ଦେଇଥିଲେ। କ୍ୟାମ୍ପସ ପରିସର ମୁଖ୍ୟ ସ୍ଥାନଗୁଡିକରେ ଓ ଛାତ୍ରୀଛାତ୍ରଙ୍କ ଭିଡ଼ ଜମୁଥିବା ସ୍ଥାନକୁ ସିସିଟିଭି ନଜର ରଖିବା ନିମନ୍ତେ କହିଥିଲେ। କ୍ଲାସ ସମୟରେ ଛାତ୍ରୀଛାତ୍ର ଶ୍ରେଣୀରେ ଉପସ୍ଥିତ ରହିବେ। କ୍ୟାମ୍ପସ ପରିସରରେ କେହି ଅଯଥା ଭିଡ଼ ଜମାଇବେନି। ଆଣ୍ଟି ରାଗିଂ ସେଲ, ଶୃଙ୍ଖଳା କମିଟି ଓ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପିକା ଅଧ୍ୟାପକଙ୍କ ସମେତ ପ୍ରତ୍ୟେକ ଅଣ ଶିକ୍ଷକ କର୍ମଚାରୀ କ୍ୟାମ୍ପସ ପରିସରରେ ଛାତ୍ରୀଛାତ୍ରଙ୍କ ଆଚରଣ ଓ ବ୍ୟବହାର ଉପରେ ନଜର ରଖିବେ। ମହାବିଦ୍ୟାଳୟରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ମଧ୍ୟ ଅଞ୍ଚଳିକ ନିର୍ଦ୍ଦେଶକ କହଛନ୍ତି।
ଛାତ୍ରୀଙ୍କୁ ଅସଦାଚରଣ ଭିଡ଼ିଓ ଭାଇରାଲ ଘଟଣା ପରେ ବ୍ରହ୍ମପୁର ଏସ୍‌ପି ଡ଼.ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶରେ ବଡ଼ବଜାର ଥାନା ପୋଲିସ ନିଜଆଡ଼ୁ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ସମ୍ପୃକ୍ତ ଉକ୍ତ କଲେଜର ୫ ଛାତ୍ରଙ୍କୁ ପୋଲିସ ବୁଧବାର ଧରିଥିଲା। ସେଥିମଧ୍ୟରୁ ୩ ସାବାଳକ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ନାବାଳକ ଛାତ୍ରଙ୍କୁ ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରିଥିଲା। ପରେ ନାବାଳକଦ୍ୱୟଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗୁରୁବାର ଅପରହ୍ନରେ ଏସପି, ବଡ଼ବଜାର ଥାନା ଅଧିକାରୀ ଓ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ନେଇ ଘଟଣାର ଛାନ୍‌ଭିନ ହୋଇଥିଲା॥ ପରେ ଭାଇରାଲ ଭିଡ଼ିଓକୁ ଆଧାର କରି ଏଥିରେ ସମ୍ପୃକ୍ତ ଥିବା ୧୨ଜଣ ବିଦ୍ୟାର୍ଥୀଙ୍କୁ ମହାବିଦ୍ୟାଳୟରୁ ବିତାଡିତ କରାଯାଇଥିଲା। ସୂଚନାଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ ଜଣେ ଯୁକ୍ତ୨ ବିଜ୍ଞାନ ଛାତ୍ରୀଙ୍କୁ ତାଙ୍କର ଅନ୍ୟ ସହଯୋଗୀଙ୍କ ସହିତ କଲେଜ ପରିସରରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଭିଷେକ ଏକ ପିଭିସି ପାଇପ୍‌ ଧରି ଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଅନ୍ୟଜଣେ ଛାତ୍ର ଅସଦାଚରଣ କରୁଥିବା ଦୃଶ୍ୟର ଭିଡିଓ ରେକର୍ଡିଂ କରିବାକୁ କହୁଥିଲେ। ସେ ଛାତ୍ରୀଙ୍କ ହାତ ଓ ମୁଣ୍ଡକୁ ଜବରଦସ୍ତି ଟାଣି ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା।