ଚାନ୍ଦବାଲି, ୧୦ା୩(ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ଓ ଭାଟପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଜିଲାପାଳ, ବିଡିଓ ଓ ପଞ୍ଚାୟତିରାଜ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆ ନ ଯିବାରୁ ଲୋକାୟୁକ୍ତଙ୍କ ନିକଟରେ ପୁନଃ ଅଭିଯୋଗ କରାଯାଇଥିଲା। ଗ୍ରାମବାସୀଙ୍କ ଏହି ଅଭିଯୋଗକୁ ଭିତ୍ତିକରି ଦୁଇଟି ଟିମ୍ ଭାଟପଡ଼ା ଓ ଖଦାଳପୋଖରୀରେ ପହଞ୍ଚି ମଙ୍ଗଳବାରଠାରୁ ଆର୍ଥିକ ଅନିୟମିତତାର ତଦନ୍ତ ଆରମ୍ଭ କରିଛନ୍ତି।
ବୁଧବାର ଦ୍ୱିତୀୟ ଦିନରେ ଏହି ଟିମ୍ ଖଦାଳପୋଖରୀ ପଞ୍ଚାୟତରେ ପାଇଖାନା ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ କରିଛନ୍ତି। ଅଧିକାରୀମାନେ ଘର ଘର ବୁଲି ଯାଞ୍ଚ କରିଥିଲେ। ଚାନ୍ଦବାଲି ବ୍ଲକ ପକ୍ଷରୁ କର୍ମଚାରୀମାନେ ଉପସ୍ଥିତ ଥିବାରୁ ତଦନ୍ତ ବାଟବଣା ହୋଇପାରେ ବୋଲି ଗ୍ରାମବାସୀ ଆଶଙ୍କା କରିଛନ୍ତି।