ସରକାରୀ ବାସଭବନରେ ସାଇଣ୍ଟିଫିକ ଟିମ୍‌ର ତଦନ୍ତ

ପାରଳାଖେମୁଣ୍ଡି,୧୭ା୭(ଡି.ଏନ.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶୁକ୍ରବାର ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ସାଇଣ୍ଟଫିକ ଟିମ୍‌ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱରରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର, ମାମୁ ଶ୍ରୀତିକାନ୍ତ ପଣ୍ଡା ଓ ଓକିଲ ପାର୍ଥସାରଥି ନାୟକ ଆସି ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଘଟଣା ଘଟିବା ପରଠାରୁ ବନ୍ଦ ରହିଥିବା କ୍ୱାର୍ଟର୍ସକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। କ୍ୱାର୍ଟର୍ସର ପାରିପାଶର୍‌ବିକ ସ୍ଥିତି ଓ ଭିତର ଦୃଶ୍ୟ ଦେଖିବା ପରେ ସନ୍ଦେହ ଘନୀଭୂତ ହୋଇଛି। ସୌମ୍ୟଙ୍କୁ ଅନ୍ୟତ୍ର ପୋଡ଼ିମାରି କ୍ୱାର୍ଟର୍ସରେ ପକାଇ ଦିଆଯାଇଥିବା ବାପା ଅଭିଯୋଗ କରିଛନ୍ତି।
ସୌମ୍ୟଙ୍କ ବାପା ଓ ଓକିଲ ଘଟଣାସ୍ଥଳରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, କ୍ୱାର୍ଟର୍ସରେ ସୌମ୍ୟ ପୋଡି ହୋଇଥିବା କୁହାଯାଉଛି। ସୌମ୍ୟଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ଘର କାନ୍ଥ, ଆସବାବପତ୍ର କିମ୍ବା ପରଦା କୌଣସିଠାରେ କିଭଳି ନିଅଁା ଲାଗିଲାନି କି ସାମାନ୍ୟ କଳାଦାଗ ବି ପଡ଼ିଲାନି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ସୌମ୍ୟ ଏବଂ ତାଙ୍କ ସ୍ତ୍ରୀ କ୍ୱାର୍ଟର୍ସରେ ଏକା ରହୁଥିଲେ। ରୋଷେଇ ପାଇଁ ଜଣେ ରୋଷେୟା ରହିଥିଲେ। ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ବେଳେ ତାଙ୍କ ସ୍ତ୍ରୀ କ’ଣ କରୁଥିଲେ। ଅନ୍ୟପକ୍ଷରେ ଗୁରୁତର ସୌମ୍ୟଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡିଠାରୁ ବିଶାଖାପାଟଣାକୁ କାହିଁକି ନିଆଗଲାନାହିଁ। ସୌମ୍ୟ ଏଠାରେ ଅଶାନ୍ତିରେ ଥିଲେ। ସେଥିପାଇଁ ସେ ପାରଳାଖେମୁଣ୍ଡିରୁ ବଦଳି ହୋଇ ନିଜ ଘର ନିକଟକୁ ଯିବାପାଇଁ ଚାହୁଁଥିଲେ। ଏହା ପଛରେ କାରଣ କ’ଣ ଥିଲା। ଡିଏଫ୍‌ଓଙ୍କୁ ଏ ପର୍ଯ୍ୟନ୍ତ କ’ଣ ପାଇଁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ବାପା ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ସାଇଣ୍ଟିଫିକ ଓ ପୋଲିସର ସ୍ବତନ୍ତ୍ର ଟିମ୍‌ ତଦନ୍ତ ବେଳେ ପାଇଥିବା ସୁରାକକୁ ନେଇ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ । କୋଠରିରୁ ସୌମ୍ୟଙ୍କ କିଛି ହାତଲେଖା ଚିଠି ଓ ଏକ ଲାପଟପ ମିଳିଛି। ସବୁ ଦିଗକୁ ନେଇ ଯାଞ୍ଚ କରାଯିବ। ଡିଏଫଓଙ୍କୁ ଜେରା ପରେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତାହା ଜଣାପଡ଼ିବ। ଏକ ସ୍ବତନ୍ତ୍ର ଟିମ ମୟୂରଭଞ୍ଜ ଜିଲାକୁ ଯାଇ ସୌମ୍ୟଙ୍କ ସ୍ତ୍ରୀଙ୍କୁ ଜେରା କରିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ସୌମ୍ୟ ଗତ ୧୨ ତାରିଖ ରାତିରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର ଏବଂ ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ନିଆଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା।

Share