ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍‌ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ

ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ତଦନ୍ତ ଜୋର୍‌ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍‌ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି। ସେହିଭଳି ଅଭିଯୁକ୍ତ ବାବୁଲି ନାୟକ ଓ ତାଙ୍କ ଡ୍ରାଇଭରଙ୍କୁ ମାରାଥନ ଜେରା କରାଯାଇଛି। ପରୀ ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହ କରି କାହ୍ନୁ ବେହେରାଙ୍କୁ ମଧ୍ୟ ଅନୁରୂପ ଭାବେ ଏସ୍‌ଆଇଟି ଟିମ୍‌ ଉଠାଇ ନେଇ ଜେରା କରିଥିଲା। ପରେ ତାଙ୍କୁ ଆଣି ଘରେ ଶନିବାର ଛାଡ଼ି ଦେଇଛି। ସେ ଘରକୁ ଆସିବା ପରେ କିଛି ସମୟ ଗଁାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଶନିବାର କାହ୍ନୁ କିଛି ସମୟ ପରୀ ଘଟଣାକୁ ନେଇ ପାଟିତୁଣ୍ଡ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ପରୀ ହତ୍ୟାକାରୀଙ୍କୁ ଧରାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ। ଏସ୍‌ଆଇଟି ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଁା ସଭାରେ ଯୋଗଦେଇ ଏହା କହିବା ପରେ ପୁରସ୍କାର ରାଶି ସମ୍ପର୍କରେ ଗଁା ସଭାପତି ଜୟକୃଷ୍ଣ ପରିଡ଼ା ଘୋଷଣା କରିଛନ୍ତି। ପରିଡ଼ାଙ୍କ ସୂଚନା ଅନୁସାରେ, ପରୀ ହତ୍ୟା ସମ୍ପର୍କରେ ସୂଚନା ଦେବା ନେଇ ଏସ୍‌ଆଇଟି ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ହତ୍ୟାକାଣ୍ଡ ନେଇ ସୂଚନାଦାତାଙ୍କ ନଁା ଗୋପନ ରଖାଯିବା ସହ ପୁରସ୍କାର ମିଳିବ। ଗଁାଲୋକ ପରୀ ହତ୍ୟାକାଣ୍ଡରେ ଏସ୍‌ଆଇଟିକୁ ସହଯୋଗ କରୁଛନ୍ତି।
ଭୁବନେଶ୍ୱର ଡିଜିପି କ୍ୟାମ୍ପ କାର୍ଯ୍ୟାଳୟରେ ଶନିବାର ପରୀ ମୃତ୍ୟୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଏସ୍‌ଆଇଟିର ମୁଖ୍ୟ ପୋଲିସ ଆଇଜି ବୋଥ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ହତ୍ୟାକାରୀଙ୍କୁ ଧରିବାକୁ ତଦନ୍ତକୁ ତ୍ୱରାନ୍ବିତ କରାଯାଇଛି। ୪ରୁ ୫ଦିନ ହେଲା ଏସ୍‌ଆଇଟି ଗଠନ ହୋଇଛି। ତଦନ୍ତକାରୀ ଟିମ୍‌ ଉପରେ ଜନସାଧାରଣଙ୍କର ଯଥେଷ୍ଟ ଭରସା ରହିଛି। ତଦନ୍ତକାରୀ ଟିମ୍‌ କଠିନ ପରିଶ୍ରମ କରୁଛି। ମୋତେ ଦିଆଯାଇଥିବା ଦାୟିତ୍ୱକୁ ନେଇ ସଚେତନ ଅଛି। ଏଥିପାଇଁ କିଛି ସମୟ ଦେବାକୁ ସେ କହିଛନ୍ତି। ଅପରପକ୍ଷେ ପରୀ ମୃତ୍ୟୁର ଅଭିଯୁକ୍ତ କୁହାଯାଉଥିବା ବାବୁଲିଙ୍କ ଘରେ ଶୁକ୍ରବାର ଏସ୍‌ଆଇଟି ଟିମ୍‌ ଚଢ଼ାଉ କରିଥିଲା। ବାବୁଲିଙ୍କର ୩ ମହଲା ଘରର ସମସ୍ତ କୋଠରିକୁ ଯାଞ୍ଚ କରାଯାଇଛି। ବାବୁଲି ଓ ତାଙ୍କ ପୁଅଙ୍କୁ ପ୍ରାୟ ୧ ଘଣ୍ଟା ଜେରା କରାଯାଇଥିଲା। ବାବୁଲି ଓ ତାଙ୍କ ଡ୍ରାଇଭରଙ୍କ ମାଲିକାନାରେ ଥିବା ଗାଡିଗୁଡିକର ସବିଶେଷ ତଥ୍ୟ ଟିମ୍‌ ସଂଗ୍ରହ କରିଥିବା କୁହାଯାଇଛି।

Share