Categories: ଜାତୀୟ

ଭାଜପା ପାଇଁ ଚାନ୍ଦା ଆଦାୟ ଲାଗି ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ହେଉଛି: କଂଗ୍ରେସ

ନୂଆଦିଲ୍ଲୀ,୨୩।୨: ଘରୋଇ କମ୍ପାନୀଗୁଡ଼ିକରୁ ଭାଜପା ପାଇଁ ଜୋର୍‌ଜବରଦସ୍ତ ଚାନ୍ଦା ଆଦାୟ ନିମନ୍ତେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା କଂଗ୍ରେସ ଶୁକ୍ରବାର ଅଭିଯୋଗ କରିଛି। ସରକାରଙ୍କ ଏହି ଜବରଦସ୍ତ ଚାନ୍ଦା ଅସୁଲିର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ କଂଗ୍ରେସ ଦାବି କରିଛି। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ୨୦୧୮-୧୯ରୁ ୨୨-୨୩ ଆର୍ଥତ୍କ ବର୍ଷ ମଧ୍ୟରେ ଅନୂ୍ୟନ ୩୦ଟି କମ୍ପାନୀ ଭାଜପାକୁ ପାଖାପାଖି ୩୩୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି, ଯେଉଁମାନେ କି ଉକ୍ତ ସମୟ ମଧ୍ୟରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତର ସମ୍ମୁଖୀନ ହୋଇଥିଲେ। ଭାଜପାକୁ ମିଳିଥିବା ଚାନ୍ଦାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ ସରକାର ଚାହୁଁ ନାହାନ୍ତି କାହିଁକି ବୋଲି କଂଗ୍ରେସ ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ଚାନ୍ଦା ଦିଅ, ଜାମିନ ଓ ବ୍ୟବସାୟ’ ଯୋଜନା ସମ୍ପର୍କରେ ଆପଣମାନେ ଜାଣନ୍ତି କି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀ ଇଡି, ଆଇଟି ଏବଂ ସିବିଆଇର ଦୂରୁପଯୋଗ କରି ‘ଅସୁଲି ଭାଇ’ ଭଳି ବ୍ୟବସାୟ ଚଳାଇଥିବା ରାହୁଲ ଅଭିଯୋଗ କରିଥିଲେ। ମୋଦି ସରକାର ସମୟରେ ଭାଜପାକୁ ଦିଆଯାଇଥିବା ବେଆଇନ ଚାନ୍ଦା ଏବଂ ଇଲେକ୍ଟୋରାଲ ବଣ୍ଡ୍‌ ‘ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌’ ବୋଲି ରାହୁଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଭାଜପାକୁ କେଉଁ ସୂତ୍ରରୁ ଚାନ୍ଦା ଆସିଛି ଏବଂ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ ଯୋଗୁ କିପରି କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ଚାନ୍ଦା ଦେବାକୁ ବାଧ୍ୟ ହୋଇଛନ୍ତି, ତାହା ଶ୍ୱେତପତ୍ର ଜରିଆରେ ସରକାର ଜଣାଇବେ କି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।

Share