Categories: ବାଣିଜ୍ୟ

ଜେନେରେଟିଭ୍‌ ଏଆଇରେ ବଢ଼ୁଛି ପୁଞ୍ଜି ବିନିଯୋଗ

ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ୍ପାନୀଗୁଡିକ ଜେନେରେଟିଭ ଏଆଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି। ଇନ୍‌ଫୋସିସ ରିସର୍ଚ୍ଚର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇନ୍‌ଫୋସିସ ରିସର୍ଚ୍ଚ ୟୁନିଟ ଇନ୍‌ଫୋସିସ ନଲେଜ ଇନ୍‌ଷ୍ଟିଚ୍ୟୁଟ (ଇକାଇ)ର ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଚାଇନା, ଜାପାନ, ଭାରତ ଏବଂ ସିଙ୍ଗାପୁରରେ ଏହି ଟେକ୍ନୋଲୋଜିରେ ୨୦୨୪ରେ ତିନିଗୁଣରୁ ଅଧିକ ବିନିଯୋଗ ହୋଇ ୩.୪ ଆରବ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଉତ୍ତର ଆମେରିକା ତୁଳନାରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବହୁ ପଛରେ ରହିଛି।
ମାତ୍ର ଏହି ଅଞ୍ଚଳର କମ୍ପାନୀଗୁଡିକ ଜେନେରେଟିଭ ଏଆଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି ଏବଂ ପରିପକ୍ୱତାର ଏକ ଉଚ୍ଚ ପର୍ଯ୍ୟାୟରେ ପ୍ରବେଶ କରୁଛନ୍ତି। ଏସିଆ ପ୍ରଶାନ୍ତ ଇକୋନୋମିକ କୋଅପରେଶନ୍‌(ଏପିଇସି)ର କମ୍ପାନୀଗୁଡିକର ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗରେ ଅନ୍ୟ ଅଞ୍ଚଳ ତୁଳନାରେ ୧୪୦ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି। ଏହି ସର୍ଭେରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଚାଇନା, ଜାପାନ, ଭାରତ ଏବଂ ସିଙ୍ଗାପୁରର ୧୦୦୦ ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇଛି। ଚାଇନା ଏହି କ୍ଷେତ୍ରକୁ ଆଗେଇ ନେଇଛି, ଯେଉଁଥିରେ ପୁଞ୍ଜି ବିନିଯୋଗ ୧୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇ ୨.୧ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ପଛରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ଅଭିବୃଦ୍ଧି ରହିଛି।

 

Share