ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ଶେୟାର ବଜାର କାରବାର ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ୩୦ ଶେୟାରବିଶିଷ୍ଟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ୪୮୭.୪୩ ପଏଣ୍ଟ ନିମ୍ନରେ ରହିବା ଯୋଗୁ ୫୦,୭୯୨ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଫଳରେ ବିଏସ୍ଇ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛିି। ବଣ୍ଡ୍ରେ ଅଧିକ ଲାଭ ମିଳିବା ଆଶାରେ ନିବେଶକ ଶେୟାର ବଜାରରୁ ଶେୟାର ବିକିବା ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଏହି ସମୟରେ ବଜାଜ ଅଟୋର ଶେୟାର କାରବାର ୩.୧୦% ହ୍ରାସ ହୋଇଛି। ସେହିଭଳି ମାରୁତି, ଆଇସିଆଇସିଆଇ ବ୍ୟାଙ୍କ, ସନ୍ ଫାର୍ମା, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଅଲଟ୍ରାଟେକ ସିମେଣ୍ଟ ଶେୟାର କାରବାର ମଧ୍ୟ ଖସିଛି। ଏହାବାଦ ପାଓ୍ବାରଗ୍ରୀଡ, ଟାଇଟାନ, ଓଏନ୍ଜିସି, ଇନ୍ଫୋସିସ, ବଜାଜ ଫାଇନାନ୍ସ ଲିମିଟେଡର ଶେୟାର କାରବାର ୨.୨୮% ବୃଦ୍ଧି ପାଇଛି। ବିଏସ୍ଇର ମିଡକ୍ୟାପ ସୂଚକାଙ୍କ ୦.୪୫% କମିଥିବା ବେଳେ ସ୍ମଲ କ୍ୟାପ ୦.୧୪% ବଢିଛି। ବିଏସ୍ଇର ଅଟୋ, ଏନର୍ଜି, ବ୍ୟାଙ୍କ, ଫାଇନାନ୍ସ ଏବଂ ଏଫ୍ଏମ୍ସିଜି ଶେୟାର ୧.୬୦% ନିମ୍ନରେ ରହିଛି।